ବାରହା ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କଲା ବନବିଭାଗ

ଦେଓଗାଁ,ଏନ୍‌ଏନ୍‌ଏସ୍‌: ଦେଓଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗୁଡଭେଳା ଫରେଷ୍ଟ ସେକ୍ସନର ସିକେରପାଟ ଜଙ୍ଗଲରେ ଶିକାର ପାଇଁ ବିଦ୍ୟୁତ ତାର ବିଛାଉଥିବା ବେଳେ ବନ ବିଭାଗ ଚଢ଼ଉ କରି ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଗୁଡଭେଳା ବନବିଭାଗର କର୍ମଚାରୀ ମାନେ ପାଟ୍ରୋଲିଂ କରୁଥିବା ବେଳେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଉଥିବାର ସୂଚନା ପାଇଥିଲେ।

ତିଲକାମାଲ ଗାଁ ନିକଟ ସିକେରପାଟ ସଂରକ୍ଷିତ ଜଙ୍ଗଲ ଭିତରେ ବେଆଇନ ଭାବରେ ବିଦ୍ୟୁତ୍ ସଂଯୋଗ କରୁଥିବା ବୌଦ୍ଧ ଜିଲ୍ଲାର ଦେଉଲି ଗାଁ’ର ବସନ୍ତ ରଣାଙ୍କୁ ଗିରଫ କରିଥିଲେ ବନ କର୍ମଚାରୀ। ଚଢ଼ଉ ସମୟରେ ଉକ୍ତ ଯୁବକ ଠାରୁ ବିଦ୍ୟତ ତାର ମଧ୍ୟ ଜବତ କରିଥିଲେ ବନ କର୍ମଚାରୀ। ଏନେଇ ବନ ବିଭାଗ ଦେଓଗାଁ ରେଞ୍ଜରେ ଏକ ମାମଲା ରୁଜୁ କରି ଗିରଫ କରିଥିବା ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ରେଞ୍ଜର ଆଲୋକ ମାଝୀ ସୂଚନା ଦେଇଛନ୍ତି।