ବାବା ରାମଦେବଙ୍କ ଦାବିକୁ ହୁ’ର ଖଣ୍ଡନ

ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତରାଖଣ୍ଡର ହରିଦ୍ୱାରସ୍ଥିତ ବାବା ରାମଦେବଙ୍କ ପତଞ୍ଜଳି ଆଶ୍ରମ ପକ୍ଷରୁ ପ୍ରସ୍ତୁତ କୋଭିଡ୍ ଔଷଧ ‘କରୋନିଲ’କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ସ୍ୱୀକୃତି ଦେଇଛି ବୋଲି ଖୋଦ ରାମଦେବ ଦୁଇଦିନ ପୂର୍ବେ ଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ ଘୋଷଣା କରିଥିଲେ। ତେବେ ରାମଦେବଙ୍କ ଏହି ଦାବିକୁ ‘ହୁ’ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ପତଞ୍ଜଳି ନାମ ନ ନେଇ ହୁ କର୍ତ୍ତୃପକ୍ଷ ଜାରି କରିଥିବା

ଟ୍ୱିଟରେକହିଛନ୍ତି ଯେ କୋଭିଡ୍ର ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ କୌଣସି ଆୟୁର୍ବେଦ କିମ୍ବା ପାରମ୍ପରିକ ଔଷଧକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସାର୍ଟିଫିକେଟ ପ୍ରଦାନ କରାଯାଇନାହିଁ। ଶୁକ୍ରବାର ଅନୁଷ୍ଠିତ ଉତ୍ସବରେ ବାବା ରାମଦେବ କରୋନିଲକୁ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଓ ହୁ ପକ୍ଷରୁ ସ୍ୱୀକୃତି ମିଳିଛି ବୋଲି ଦାବି କରିବା ସହ ଏହା କୋଭିଡ୍ ଚିକିତ୍ସା ପାଇଁ ଉପଯୁକ୍ତ ବୋଲି କହିଥିଲେ। ଏହି ଉତ୍ସବରେ ଉପସ୍ଥିତ ଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଓ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ରାମଦେବଙ୍କ ଉକ୍ତିକୁ ସମର୍ଥନ ଜଣାଇଥିଲେ। ପ୍ରଥମେ କରୋନିଲକୁ କୋଭିଡ୍ର ପ୍ରତିଷେଧକଭାବେ ଉପସ୍ଥାପିତ କରାଯାଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଏହା ମନୁଷ୍ୟ ଶରୀରରେ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିବ ବୋଲି କୁହାଯାଇଥିଲା। ୨୦୨୦ ଜୁନ୍ ୨୩ରେ ପତଞ୍ଜଳି ପକ୍ଷରୁ କରୋନିଲକୁ ପ୍ରଚଳନ କରାଯାଇଥିଲା। ତେବେ ଏହାର ଉପକାରିତାକୁ ନେଇ କୌଣସି ବିଜ୍ଞାନସମ୍ମତ ପ୍ରମାଣ ନଥିବାରୁ ରାମଦେବଙ୍କୁ ସମାଲୋଚିତ ହେବାକୁ ପଡିଥିଲା।