ବିଜେପି ବିଧାୟକଙ୍କ ସମେତ ୫ ଗିରଫ

ଜୟପୁର,ଏଜେନ୍ସି: ରାଜସ୍ଥାନର ସିକର ଜିଲ୍ଲାର ଏକ ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ମହାରାଷ୍ଟ୍ରର ଜଣେ ବିଜେପି ବିଧାୟକ ଓ ତାଙ୍କର ୪ ଜଣ ସହଯୋଗୀଙ୍କୁ ଶନିବାର ଗିରଫ କରାଯାଇଛି। ପରବର୍ତ୍ତୀ ସମୟରେ ଏମାନଙ୍କୁ ଜାମିନ ମିଳିଥିଲେ ସୁଦ୍ଧା ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୫୧ ଅନୁଯାୟୀ ଏମାନଙ୍କ ବିରୋଧରେ ମାମଲା ରୁଜୁୁ କରାଯାଇଛି। ଏମାନେ ଚୁରୁ ସହରରୁ ଏକ ବସ୍ ଯୋଗେ ସାଲାସାରସ୍ଥିତ ବାଲାଜୀ ମନ୍ଦିର ପରିଦର୍ଶନ କରିବାକୁ ଯାଉଥିଲେ। ତେବେ ସିକର ସହରରେ ବସ୍ ଡ୍ରାଇଭର ଏକ ଭୁଲ ରାସ୍ତାରେ ବସ୍ ନେବାଫଳରେ ଜଣେ ପୁଲିସ କର୍ମଚାରୀ ବସ୍କୁ ଅଟକାଇବା ସହ ୫୦୦ ଟଙ୍କାର ଚାଲାଣ କାଟିଥିଲେ ଓ ବସ୍ ଡ୍ରାଇଭରର ଲାଇସେନ୍ସକୁ ଜବତ କରିଥିଲେ। ଏହି ସମୟରେ ବିଜେପି ବିଧାୟକ କୀର୍ତ୍ତିକୁମାର ଭାଙ୍ଗ୍ଡିୟା ଓ ତାଙ୍କର ବନ୍ଧୁମାନେ ପୁଲିସ ସହ ଯୁକ୍ତିତର୍କ କରିବା ସହ ସେମାନଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ସୂଚନା ପାଇ ଅତିରିକ୍ତ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ସ୍ୱାଭାବିକ କରିବା ସହ ଆହତ ପୁଲିସ କର୍ମଚାରୀଙ୍କୁ ଡାକ୍ତରଖାନା ନେଇଥିଲେ।