କରୋନା ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା

ଫୁଲବାଣୀ,ଚକାପାଦ,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଆଜି କନ୍ଧମାଳ ଜିଲ୍ଲାର ୪ଜଣ କରୋନା ଯୋଦ୍ଧାଙ୍କ ପରିବାରକୁ ପ୍ରଦାନ କରାଯାଇଛି ଆର୍ଥିକ ସହାୟତା । ଜିଲ୍ଲାପାଳ ଡ. ବୃନ୍ଦା ଡି ନିଜ କାର୍ଯ୍ୟାଳୟରେ ସରକାରଙ୍କ ତରଫରୁ ପ୍ରତ୍ୟେକଙ୍କୁ ୫୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି। ପଶାସନ ତରଫରୁ କୋରୋନା ଲଢେଇରେ ସାମିଲ ହୋଇ ମୃତ୍ୟୁବରଣ କରଥିବା ଏହି ପୁଲିସ କର୍ମଚାରୀମାନେ ହେଲେ ଜି ଉଦୟଗିରିର ମହାଜନ ପ୍ରଧାନ, ଫୁଲବାଣୀର ସୁବାସ ଚନ୍ଦ୍ର ସାହୁ ଓ ଉମେଶ କୁମାର ନାୟକ ଏବଂ ବାଲିଗୁଡାର ବାଳୀ କହଁର। ମହାଜନ ଟିକାବାଲି ଥାନା ଲାଇନପଡା ଫାଣ୍ଡିରେ ଏଏସଆଇ ଭାବେ କାର୍ଯ୍ୟରତ ଥିବାବେଳେ ସୁବାସ ଟିକାବାଲି ଥାନାରେ ଏଏସଆଇ ଥିଲେ। ସେହିଭଳି ଉମେଶ ଓ ବାଳୀ ଦାରିଙ୍ଗବାଡିଠାରେ କନେଷ୍ଟବଲ ଭାବେ କାର୍ଯ୍ୟରତ ଥିଲେ ।

ସରକାରୀ କର୍ମଚାରୀ ଭାବେ କରୋନା ସମୟରେ ନିଜ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଏମାନେ ମହାମାରୀର ଶିକାର ହୋଇଥିଲେ । ଚିକିତ୍ସା ସତ୍ୱେ ଏମାନେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ଏଭଳି କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ପୂର୍ବରୁ ସରକାର ଘୋଷଣା କରିଥିଲେ। ସେହି ଅନୁଯାୟୀ ଆଜି ଜିଲ୍ଲାପାଳ ତାଙ୍କ ପ୍ରକୋଷ୍ଠରେ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ମହାଜନଙ୍କ ତରଫରୁ ତାଙ୍କ ସ୍ତ୍ରୀ ଅନ୍ନଦା, ସୁବାସଙ୍କ ପକ୍ଷରୁ ତାଙ୍କ ସ୍ତ୍ରୀ ବବିତା, ଉମେଶଙ୍କ ପକ୍ଷରୁ ତାଙ୍କ ସ୍ତ୍ରୀ କାମିନୀ ଓ ବାଳୀଙ୍କ ତରଫରୁ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ଏହି ଚେକ୍ ଗ୍ରହଣ କରିଥିଲେ। ଚେକ ପ୍ରଦାନ ସମୟରେ କନ୍ଧମାଳ ଏସପି ବିନିତ ଅଗ୍ରୱାଲ ଉପସ୍ଥିତ ଥିଲେ । ସରକାର ଏହି ସହାୟତା ପ୍ରଦାନ କରିଥିବାରୁ ପରିବାର ସରକାରଙ୍କ ପାଖରେ କୃତଜ୍ଞ ବୋଲି ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଗତ ଶନିବାର ଭୁବନେଶ୍ୱରରେ ମୃତ୍ୟୁବରଣ କରିଥିବା ଚକାପାଦ ବ୍ଲକ୍ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚୁକ୍ତି ଭିତ୍ତିକ ଏଏନଏମ ଗାୟତ୍ରୀଙ୍କ ପରିବାରକୁ କାହିଁକି ଏହି ସାହାଯ୍ୟ ମିିଳିବ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଗାୟତ୍ରୀ ସରକାରୀ କାର୍ଯ୍ୟରେ ଥିବାବେଳେ ମହାମାରୀରେ ଆକ୍ରାନ୍ତ ହୋଇଥିଲେ । କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ପରେ ଫୁସଫୁସ୍ ସଂକ୍ରମଣରେ ମୃତ୍ୟୁବରଣ କରିଥିଲେ।