କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ସହାୟତା ପ୍ରଦାନ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ବିଜାପଦରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ସମୟରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ୱାଇ.ରାଜ କୁମାରଙ୍କ ପରିବାରବର୍ଗଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ସ୍ୱର୍ଗତଃ ରାଜ କୁମାର ଗତ ଅଗଷ୍ଟ ମାସ ୨୯ ତାରିଖରେ କୋଭିଡ ରୋଗୀଙ୍କୁ ଚିକିତ୍ସା କରୁଥିବାବେଳେ ନିଜେ କରୋନାରେ ଆକ୍ରାନ୍ତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ଗତ ସେପ୍ଟେମ୍ବର ମାସ ୨୦ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତାଙ୍କ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ବୀମା ରାଶି ତାଙ୍କ ପରିବାର ବର୍ଗଙ୍କ ଉପସ୍ଥିତିରେ ତାଙ୍କ ପତ୍ନୀ ୱାଇ.ପ୍ରେମଲତାଙ୍କୁ ଆଜି ଜିଲ୍ଲାପାଳ ଡଃ.ୱାଇ. ବିଜୟ ପ୍ରଦାନ କରିଛନ୍ତି। ସ୍ୱର୍ଗତଃ ରାଜ କୁମାରଙ୍କ ପରିବାରରେ ତାଙ୍କ ପତ୍ନୀଙ୍କ ସହ ୨ ଜଣ କନ୍ୟା ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୩ ଜଣ କରୋନା ଯୋଦ୍ଧା ମୃତ୍ୟୁବରଣ କରିଥିବା ବେଳେ ମୃତ ଗୃହରକ୍ଷୀ ରଞ୍ଜନ ହନ୍ତାଳଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ବୀମା ସହାୟତା ରାଶି ପ୍ରଦାନ କରାଯାଇଛି। ସେହିଭଳି ମ୍ୟାଲେରିଆ ସ୍ୱାସ୍ଥ୍ୟକର୍ମୀ ମନୋଜ ପାଣ୍ଡେଙ୍କ ପରିବାରକୁ ଅନୁଦାନ ରାଶି ପ୍ରଦାନ ପାଇଁ ସରକାରଙ୍କୁ ପ୍ରସ୍ତାବ ପଠାଯାଇଥିବା ଏକ ପ୍ରେସ ବିବୃତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।