କରୋନା: ଦେଶରେ ୬୫୩ ଆକ୍ରାନ୍ତ

ନୂଆଦିଲ୍ଲୀ,ଏଜେନ୍ସି : ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୬୫୩କୁ ଛୁଇଁଛି। ସେମାନଙ୍କ ମଧ୍ୟରୁ ୪୨ ଜଣ ଆରୋଗ୍ୟ ଲାଭ କରିଥିଲା ବେଳେ ୧୮ ଜଣ ପ୍ରାଣ ହରାଇଛନ୍ତି। ଗୁରୁବାର ୫ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ମୃତ୍ୟୁବରଣ କରିଥିବା ୫ ସଂକ୍ରମିତ ହେଉଛନ୍ତି ଜମ୍ମୁ-କଶ୍ମୀରର ଶ୍ରୀନଗରନିବାସୀ ୬୫ ବର୍ଷୀୟ, ମହାରାଷ୍ଟ୍ରର ମୁମ୍ବାଇନିବାସୀ ୬୫ ବର୍ଷୀୟା, ଗୁଜରାଟର ଭାବନଗରରେ ରହୁଥିବା ୭୦ ବର୍ଷୀୟା, ରାଜସ୍ଥାନର ଭୀଲୱାଡ଼ାସ୍ଥିତ ଜନୈକ ବ୍ୟକ୍ତି ଓ କର୍ଣ୍ଣାଟକର ୭୫ ବର୍ଷୀୟା ମହିଳା।

କର୍ଣ୍ଣାଟକରେ ୫୫ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ୨୫ ମାର୍ଚ୍ଚ ଅପରାହ୍ଣ ୫ଟାରୁ ୨୬ ମାର୍ଚ୍ଚ ସକାଳ ୮ଟା ଭିତରେ ଚାରିଜଣ ନୂତନ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଗୁରୁବାର ଦିଲ୍ଲୀରେ ୫, ଗୁଜରାଟରେ ୩, ମହାରାଷ୍ଟ୍ରରେ ୨ ଓ ଆଣ୍ଡାମାନରେ ଜଣକ ରିପୋର୍ଟରେ ପଜିଟିଭ୍ ଦେଖାଯାଇଛି। ଆଣ୍ଡାମାନରେ ପ୍ରଥମ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଦେଶରେ ଏ ପର୍ଯ୍ୟନ୍ତ ୧୮ ଜଣ ରୋଗୀ ମୃତ୍ୟୁବରଣ କରିଛନ୍ତି ।

ଇତିମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୋଷ୍ଠୀଗତ କରୋନା ସଂକ୍ରମଣକୁ ଖଣ୍ଡନ କରିଛି। ମହୀଶୂରର ୩୫ ବର୍ଷୀୟ ବ୍ୟକ୍ତି ବିଦେଶ ଗସ୍ତରେ ଯାଇନଥିଲେ ମଧ୍ୟ ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ସମ୍ପୃକ୍ତ ଯୁବକ ଗୋଟିଏ ଫାର୍ମା କମ୍ପାନୀରେ କାମ କରୁଥିବାରୁ ବହୁ ମେଡିକାଲ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି।

ସେହିଭଳି ସାଉଦିଆରବର ମେକ୍କା ସହରରୁ ପ୍ରତ୍ୟାବର୍ତ୍ତନ କରିଥିବା ୭୦ ବର୍ଷୀୟା ମହିଳା ମାର୍ଚ୍ଚ ୧୪ରେ କର୍ଣ୍ଣାଟକର ଚିକ୍କାବାଲ୍ଲାପୁରା ଜିଲ୍ଲାସ୍ଥିତ ବାସଭବନରେ ପହଞ୍ôଚଥିଲେ। କରୋନା ଭୂତାଣୁର ଶିକାର ହୋଇ ସେ ୨୪ରେ ବେଙ୍ଗାଲୁରୁସ୍ଥିତ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ମହାରାଷ୍ଟ୍ରରେ ୨୪ ଘଣ୍ଟା ଭିତରେ ଚାରିଟି ନୂଆ ମାମଲା ସାମ୍ନାକୁ ଆସିବା ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬କୁ ଛୁଇଁଛି। ଆକ୍ରାନ୍ତଙ୍କ ମଧ୍ୟରୁ ମୁମ୍ବାଇରେ ୪୯, ପୁଣେରେ ୧୮, ପିମ୍ପ୍ରି ଚିଞ୍ଚୱାଡରେ ୧୨, ସାଙ୍ଗ୍ଲୀରେ ୯, ନାଭି ମୁମ୍ବାଇରୁ ୮, କଲ୍ୟାଣ-ଡୋମ୍ବିଭଲୀରୁ ୬, ନାଗପୁରରୁ ୪, ୟାବତମଲରୁ ୪, ଥାଣେର ୪, ଅହମ୍ମଦନଗରରୁ ୩, ସତାରାର ୨, ପାନଭେଲରୁ ୨, ଲହ୍ଲାସନଗର, ଔରଙ୍ଗାବାଦ, ରତ୍ନଗିରି, ବାସାଇନଗର, ପୁଣେ ଗ୍ରାମାଞ୍ଚଳରୁ ଜଣେ ଲେଖାଏଁ ଅଛନ୍ତି।