ଚୀନ୍ ତୁଳନାରେ ଭାରତର କରୋନା ଭୂତାଣୁ ଅଧିକ ମାରାତ୍ମକ : ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,ଏଜେନ୍ସି : ଭାରତ ଓ ନେପାଳ ମଧ୍ୟରେ ଦୀର୍ଘ ଶତାବ୍ଦୀ ଧରି ପାରମ୍ପରିକ ସମ୍ପର୍କ ରହିଆସିଥିଲା ବେଳେ ଗତ କିଛି ବର୍ଷ ହେଲା ସେଠାର ସରକାରଙ୍କ ଅଧିକ ବେଜିଂ ପ୍ରୀତି ନୂଆଦିଲ୍ଲୀ ସହ ସମ୍ପର୍କରେ ବାଧକ ହୋଇଛି। ଦୁଇ ଦେଶ ମଧ୍ୟରେ ସୀମାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ବେଳେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଏକ ବିବାଦୀୟ ମନ୍ତବ୍ୟ ଏହି ବିବାଦକୁ ଆହୁରି ତୀବ୍ର କରିଛି। ବୁଧବାର ଓଲି ପାର୍ଲାମେଣ୍ଟରେ କହିଛନ୍ତି ଯେ, ନେପାଳରେ କରୋନା ସଂକ୍ରମଣ ପାଇଁ ଭାରତ ଦାୟୀ। ଭାରତରୁ ଆସୁଥିବା କରୋନା ଭୂତାଣୁ ଚୀନ ଓ ଇଟାଲୀଠାରୁ ଅଧିକ ମାରାତ୍ମକ।

ଭାରତୀୟ ସୀମା ଦେଇ ବେଆଇନ ଭାବେ ପ୍ରବେଶ କରୁଥିବା ଲୋକମାନଙ୍କ ଯୋଗୁଁ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ନେପାଳ ସଂସଦରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ କବଜାରେ ଥିବା କାଲାପାନି-ଲିପୁଲେଖ ଅଞ୍ଚଳକୁ ଯେ କୌଣସିମତେ ଫେରାଇ ଆଣିବାକୁ ପଡିବ। ଉଲ୍ଲେଖଯୋଗ୍ୟ ନେପାଳ ସୀମାରେ ଥିବା ଏହି ଅଞ୍ଚଳ ଭାରତୀୟ ଅଞ୍ଚଳ ହୋଇଥିଲେ ମଧ୍ୟ ନେପାଳ ତାହାକୁ ନିଜର ଅଞ୍ଚଳ ବୋଲି ଦାବି କରୁଛି। ଗତ ମଙ୍ଗଳବାର ନେପାଳ କ୍ୟାବିନେଟରେ ଦେଶର ଏକ ନୂଆ ମାନଚିତ୍ରକୁ ଅନୁମୋଦନ କରାଯାଇଛି। ଏହି ମାନଚିତ୍ରରେ ଭାରତୀୟ ଅଞ୍ଚଳ ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରା ନିଜ ଅଞ୍ଚଳ ଭାବେ ଦର୍ଶାଇଛି ନେପାଳ। ଏହା ଫଳରେ ଦୁଇ ଦେଶ ମଧ୍ୟରେ ସୀମାକୁ ନେଇ ବିବାଦ ସୃଷ୍ଟି ହୋଇଛି। ନିକଟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ଅଞ୍ଚଳରେ ଏକ ପୋଲ ଉଦଘାଟନ କରିଥିଲେ। ଏହାକୁ ନେଇ ନେପାଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା।