ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଜାନୁଆରୀ ଶେଷ ସୁଦ୍ଧା ଓଡିଶାରେ କରୋନା ଟିକା ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, କରୋନା ଯୋଦ୍ଧା ଓ ବୟସ୍କଙ୍କୁ ଏହି ଟିକା ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରି ସାରିଛନ୍ତି। ଜିଲ୍ଲାସ୍ତରରେ ଟିକା ରଖିବା ପାଇଁ ଶୀତଳଭଣ୍ଡାର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କରୋନା ଟିକା ପ୍ରଦାନ କରିବାକୁ ଏକ ଡାଟାବେସ ପ୍ରସ୍ତୁତ ହୋଇସାରିଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଫ୍ରଣ୍ଟ ଲାଇନ୍ ୱାରିୟର ଭାବରେ ପରିଚିତ ୩.୨ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ସହଯୋଗୀମାନଙ୍କୁ ଟିକା ପ୍ରଦାନ କରାଯିବ। ଏଥିପାଇଁ ୨୯ହଜାର ୨୭୬ଟି ସେଣ୍ଟର ଚିହ୍ନଟ କରାଯାଇଛି। ଟିକା ପ୍ରଦାନ କରିବାକୁ ୮ହଜାର ୨୬୬ ଜଣ ଭ୍ୟାକ୍ସିନେଟର ବଛାଯିବା ସହିତ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
ସେହିପରି କରୋନା ଟିକା ରଖିବା ପାଇଁ ୧୨ଶହ ୨୨ଟି କୋଲଚେନ୍ ପଏଣ୍ଟ ତିଆରି କରାଯାଇଛି। ରାଜ୍ୟରେ ଗୋଟିଏ ଭ୍ୟାକ୍ସିନ ଷ୍ଟୋର ରହିଥିବାବେଳେ ୯ଟି ଆଞ୍ଚଳିକ ସେଣ୍ଟର ଏବଂ ରାଉରକେଲା ଓ ଭୁବନେଶ୍ୱରକୁ ମିଶାଇ ୩୨ଟି ଜଲ୍ଲାସ୍ତରୀୟ ସେଣ୍ଟର କରାଯାଇଛି। କରୋନା ଟିକା ସୁରୁଖୁରୁରେ ପ୍ରଦାନ କରିବାକୁ ରାଜ୍ୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ଏହା ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ଟାକ୍ସ ଫୋର୍ସ ଗଠନ ପାଇଁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଅଧ୍ୟାଦେଶ ଜାରି କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ଏହାସହ କରୋନା ଟିକା ପ୍ରଦାନ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି କରାଯାଇଛି ବୋଲି ଶ୍ରୀ ଦାସ କହିଛନ୍ତି।