ଅଜଣା ଜନ୍ତୁ ଆତଙ୍କ : ୧୮ ଛେଳି ୨ ଗୋରୁ ମୃତ, ୨୨ ନିଖୋଜ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ ବାରକୋଟ ଫରେଷ୍ଟ ରେଞ୍ଜ ଚକଡିହି ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ୧୮ ଛେଳି ଓ ୨ଟି ଗୋରୁଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨୨ଛେଳି ନିଖୋଜ ଥିବା ଜଣାପଡିଛି। ସୂଚନା ଯୋଗ୍ୟ, ଗତ ୨ ତାରିଖ ଦିନ ଚକଡିହି ଗ୍ରାମର କେତେକ ବ୍ୟକ୍ତି ନିକଟସ୍ଥ ଜଙ୍ଗଲକୁ ଗାଈ ଓ ଛେଳି ଚରାଇବାକୁ ନେଇଥିଲେ। ଅପରାହ୍ଣରେ ଫେରିବାବେଳେ ହଠାତ୍ ବୁଦା ମଧ୍ୟରୁ କୌଣସି ଏକ ଅଜଣା ଜନ୍ତୁକୁ ଦେଖି ଗାଈ ଓ ଛେଳିମାନେ ଏଣେତେଣେ ଦୌଡିଥିଲେ। ଏହା ଦେଖି ଚରାଳି ମାନେ ଭୟଭୀତ ହୋଇ ଦୌଡି ପଳାଇ ଆସିଥିଲେ। ମାତ୍ର ସଂନ୍ଧ୍ୟା ପର୍ଯ୍ୟନ୍ତ କିଛି ଗାଈ ଓ ଛେଳି ଫେରି ଆସିଥିବା ବେଳେ ଆହୁରି ଅନେକ ଫେରି ନଥିଲେ।

ଗତକାଲି ସକାଳେ ଗ୍ରାମବାସୀ ଛେଳି ଓ ଗାଈ ଖୋଜିବାକୁ ଜଙ୍ଗଲକୁ ଯାଇଥିବା ବେଳେ ୧୩ଟି ଛେଳି ଓ ୨ଟି ଗାଈଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଛେଳିଙ୍କ ବେକରେ କାମୁଡା ଦାଗ ରହିଥିବା ବେଳେ ଆଉ କେତେକ ଛେଳିଙ୍କ ଅନ୍ତ ବୁଜୁଳା ବାହରି ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ବାରକୋଟ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସହ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ସଂନ୍ଧ୍ୟାରେ ଉକ୍ତ ଜଙ୍ଗଲରେ କ୍ୟାମେରା ରଖିଥିଲେ। ଏ ସମ୍ପର୍କରେ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀଙ୍କ ମତାମତ ନେବାରୁ ଗ୍ରାମବାସୀ ବାଘ ଶୋଇଥିବା ସ୍ଥାନ ଚିହ୍ନଟ କରିଥିବା ତାଙ୍କ ନିକଟରେ ସୂଚନା ଆସିଥିବା ବେଳେ ସେ ନିଜେ ଘଟଣାସ୍ଥଳରୁ ଫେରିବାପରେ ଅଧିକ ତଥ୍ୟ ପ୍ରଦାନ କରିବେ ବୋଲି କହିିଥିଲେ।