୧୦ ଦେଶରେ ଆଷ୍ଟ୍ରାଜେନେକାର କରୋନା ଟିକା ବ୍ୟାନ୍, ଭାରତରେ ଗ୍ରୀନ ସିଗନାଲ

ନୂଆଦିଲ୍ଲୀ,ଏଜେନ୍ସି: ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରୋନା ଟିକା ଉପରେ ସୁରକ୍ଷା ଦୃଷ୍ଟିରୁ ୧୦ ରାଷ୍ଟ୍ର ରୋକ ଲଗାଇଛନ୍ତି। ତଥାପି ଭାରତରେ ଏହାର ଡୋଜ ଲୋକଙ୍କୁ ଦିଆଯାଉଛି। ଭାରତ ସରକାର ଟିକାକୁ ନେଇ କୌଣସି ବିପଦ ନଥିବା କହିଛନ୍ତି। ନୀତି ଆୟୋଗ ସଦସ୍ୟ ଡା. ଭିକେ ପଲ୍‌ କହିଛନ୍ତି, ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା ଦ୍ୱାରା ରକ୍ତ ଜମାଟ ବାନ୍ଧୁଥିବା ରିପୋର୍ଟ ଆମ ପାଖରେ ଅଛି। ଏପରିକି ୧୦ଟି ରାଷ୍ଟ୍ର ସୁରକ୍ଷା ଦୃଷ୍ଟିରୁ ଏହା ଉପରେ ରୋକ ଲଗାଇଛନ୍ତି। ୟୁରୋପିଆନ ମେଡିକାଲ ଏଜେନ୍ସି କହିଛି ଯେ ପ୍ରତିଷେଧକମୂଳକ ବ୍ୟବସ୍ଥା ସ୍ୱରୂପ ଟିକାର ବ୍ୟବହାର ରୋକ ଲାଗିଛି। ସେହିପରି ଟିକା ନେବା ଦ୍ୱାରା ଯେ ରକ୍ତ ଜମାଟ ବାନ୍ଧୁଛି, ତା’ର ପ୍ରମାଣ ମିଳିନାହିଁ। ଭାରତରେ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଉପରେ ନଜର ରଖାଯାଇଛି। ବିଶେଷଜ୍ଞ କମିଟି ମିଳୁଥିବା ତଥ୍ୟକୁ ଯାଞ୍ଚ କରୁଛନ୍ତି। ଆମେ ଏଯାଏ ଚିନ୍ତା କରିବା ଭଳି କୌଣସି ପ୍ରକାରର ତଥ୍ୟ ପାଇନାହୁଁ। ତେଣୁ ଭାରତରେ ଏହାର ବ୍ୟବହାର ଜାରି ରହିଛି ବୋଲି ସେ କହିଛନ୍ତି।

ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକାର ଉତ୍ପାଦନ ଭାରତରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ କରୁଛି। ଭାରତରେ ଏହି ଟିକାର ଜରୁରୀ ବ୍ୟବହାର କରାଯାଉଛି। କୋଭିସିଲ୍ଡ ସହ ଭାରତ ବାୟୋଟେକ୍‌ ପ୍ରସ୍ତୁତ କରିଥିବା କୋଭାକ୍ସିନ କରୋନା ଟିକାକୁ ମଧ୍ୟ ଭାରତରେ ବ୍ୟବହାର କରାଯାଉଛି।

ଏସବୁ ଭିତରେ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡ ଉପରେ ମାର୍ଚ୍ଚ ୧୫ରେ ଫ୍ରାନ୍ସ ଓ ଜର୍ମାନୀ ରୋକ ଲଗାଇଥିଲେ। ଏହାପୂର୍ବରୁ ଡେନମାର୍କ, ଥାଇଲ୍ୟାଣ୍ତ, ଆୟର୍ଲାଣ୍ଡ, ନେଦରଲ୍ୟାଣ୍ଡସ, ନରୱେ, ଆଇସଲ୍ୟାଣ୍ଡ, କଙ୍ଗୋ ଓ ବୁଲଗେରିଆ ଭଳି ଦେଶ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକାର ବ୍ୟବହାର ଉପରେ ରୋକ ଲଗାଇଥିଲେ। ରକ୍ତ ଜମାଟ ବାନ୍ଧୁଥିବାରୁ ହାର୍ଟ ଆଟାକ, ଅନ୍ୟାନ୍ୟ ଷ୍ଟ୍ରୋକ ଓ ଫୁସଫୁସ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଥିବା କୁହାଯାଉଛି। ଏହି ତାଲିକାରେ ସ୍ୱିଡେନ ମଧ୍ୟ ସାମିଲ ହୋଇଛି।