ଆରସି ନବୀକରଣ ପାଇଁ ଏଣିକି ୮ ଗୁଣା ଅଧିକ ଟଙ୍କା ଦେବାକୁ ପଡ଼ିବ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ଅକ୍ଟୋବରମାସରୁ ଦେଶରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ୧୫ ବର୍ଷରୁ ଅଧିକ ପୁରୁଣା କାର‌ର ଆରସି ବା ରେଜିଷ୍ଟ୍ରେସନ ନମ୍ବରର ନବୀକରଣ ପାଇଁ ଏଣିକି ୮ ଗୁଣା ଅଧିକ ଟଙ୍କା ଦେବାକୁ ପଡ଼ିବ। ଅକ୍ଟୋବର ମାସରୁ ଏହି ବର୍ଗରେ ଆସୁଥିବା କାର ‌ଗୁଡ଼ିକର ଆରସି ନବୀକରଣ ପାଇଁ ୫ ହଜାର ଟଙ୍କା ପୈଠ କରିବାକୁ ପଡ଼ିବ। ଏବେ ଆପଣଙ୍କୁ ଏଥିପାଇଁ ୬୦୦ ଟଙ୍କା ଦେବାକୁ ପଡ଼ୁଛି।

ସେହିପରି ୧୫ ବର୍ଷରୁ ଅଧିକ ପୁରୁଣା ବାଇକ୍‌ର ଆରସି ନବୀକରଣ କରିବା ପାଇଁ ୧୦୦୦ ଟଙ୍କା ଦେବାକୁ ପଡ଼ିବ। ବର୍ତ୍ତମାନ ଲୋକଙ୍କୁ ଏଥିପାଇଁ ୩ଶହ ଟଙ୍କା ଦେବାକୁ ପଡ଼ୁଛି। ୧୫ ବର୍ଷ ତଳର ଟ୍ରକ୍‌ କିମ୍ବା ବସ୍‌ର ଫିଟନେସ୍‌ ନବୀକରଣ ପ୍ରମାଣପତ୍ର ପାଇଁ ଆପଣଙ୍କୁ ୧୨,୫୦୦ ଟଙ୍କା ଦେବାକୁ ପଡ଼ିବ। ଯାହା ବର୍ତ୍ତମାନର ଫି’ ଠାରୁ ୨୧ ଗୁଣା ଅଧିକ।

୩ ଚକିଆ ଯାନର ପଞ୍ଜୀକରଣ ୬୦୦ ଟଙ୍କା ଥିବା ବେଳେ ନବୀକରଣ ପାଇଁ ୨,୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ବିଦେଶକୁ ଯାଉଥିବା କାର୍‌ ବା ତା’ ଠାରୁ ବଡ଼ ଗାଡ଼ିର ପଞ୍ଜୀକରଣ ପାଇଁ ୫ ହଜାର ଟଙ୍କା ଓ ନବୀକରଣ ପାଇଁ ୪୦ ହଜାର ଟଙ୍କା ଦେବାକୁ ପଡ଼ିବ।

ବାଇକର ନୂଆ ଫିଟନେସ୍‌ ପ୍ରମାଣପତ୍ର ପାଇଁ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ନବୀକରଣ ପାଇଁ ୧ ହଜାର ଟଙ୍କା ଦେବାକୁ ପଡ଼ିବ। ୩ ଚକିଆ ଯାନର ନୂଆ ଫିଟନେସ ପ୍ରମାଣପତ୍ର ପାଇଁ ୧୦୦୦ ଟଙ୍କା ଓ ନବୀକରଣ ପାଇଁ ୩,୫୦୦ ଟଙ୍କା, ଟ୍ୟାକ୍ସ/କ୍ୟାବ ପାଇଁ ୧ହଜାର ଓ ୭,୦୦୦, ମିଡିୟମ ଗୁଡ୍ସ/ପ୍ୟାସେଞ୍ଜର ଗାଡ଼ି ପାଇଁ ୧୩ ଶହ ଓ ୧୦,୦୦୦ ଏବଂ ବଡ଼ ଗୁଡ୍ସ/ପ୍ୟାସେଞ୍ଜର ଗାଡ଼ିଗୁଡ଼ିକ ନୂଆ ଫିଟନେସ ପ୍ରମାଣପତ୍ର ପାଇଁ ୧୫ ଶହ ଟଙ୍କା ଓ ନବୀକରଣ ପାଇଁ ୧୨,୫୦୦ ଟଙ୍କା ଦେବାକୁ ପଡ଼ିବ। ନବୀକରଣ ନିୟମ କେବଳ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକ ପାଇଁ ଲାଗୁ ହେବ।