କୋଭିଡ୍ ଟିକା ନେଇ ଆଶାକର୍ମୀଙ୍କ ମୃତ୍ୟୁ

ଗୁଣ୍ଟୁର,ଏଜେନ୍ସି: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ରବିବାର ଜଣେ ଆଶାକର୍ମୀଙ୍କ ମୃତ୍ୟୁ ଘଟିଛି। ସେ ଦୁଇ ଦିନ ପୂର୍ବରୁ କୋଭିଡ୍ ଟିକା ନେଇଥିଲେ। ବିଜୟଲକ୍ଷ୍ମୀ (୪୨) ନାମକ ଏହି ଆଶାକର୍ମୀଜଣକ ଗତ ୧୯ ତାରିଖରେ ଟିକା ନେଇଥିଲେ। ଏହା ପରେ ପରେ ସେ ଅସୁସ୍ଥ ହୋଇ ପଡିଥିଲେ। ୨୧ ତାରିଖରେ ସେ ହଠାତ୍ ସଜ୍ଞାହୀନ ହୋଇପଡିବାରୁ ତାଙ୍କୁ ଗୁଣ୍ଟୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ସକାଳେ ବିଜୟଲକ୍ଷ୍ମୀଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଛନ୍ତି। ତାଙ୍କର ଶବ ବ୍ୟବଛେଦ ପାଇଁ ପଠାଯାଇଛି। ଏହି ପରିପ୍ରେକ୍ଷୀରେ ବିଜୟଲକ୍ଷ୍ମୀଙ୍କ ପରିବାରର ସଦସ୍ୟମାନେ ଅଭିଯୋଗ କରିଛନ୍ତି, କୋଭିଡ୍ ଟିକା ନେବାରୁ ତାଙ୍କର ମୃତ୍ୟୁ ହୋଇଛି। ଜିଲ୍ଲାପାଳ ସାମୁଏଲ ଆନନ୍ଦ କୁମାର ହସ୍ପିଟାଲରେ ମୃତକଙ୍କ ପରିବାରକୁ ଭେଟି ବିଜୟଲକ୍ଷ୍ମୀଙ୍କ ପୁଅକୁ ଚାକିରି ଏବଂ ଘରଡିହ ଓ ଆର୍ଥିକ ସହାୟତା ଦିଆଯିବ ବୋଲି ଘୋଷଣା କରିଛନ୍ତି।