ଦେଶରେ ୧୪୫ କୋଟି ଅତିକ୍ରମ କଲା ଟିକାକରଣ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ୧୪୫ କୋଟି ଅତିକ୍ରମ କଲା କୋରୋନା ଟିକାକରଣ। ଗତକାଲି ୫୨ ଲକ୍ଷ ଟିକାକରଣ ହୋଇଥିବା ବେଳେ ଏହା ୧୪୫ କୋଟି ଅତିକ୍ରମ କରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ କରି ସ୍ୱାସ୍ଥ୍ୟ କର୍ମୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଦେଶରେ ଟିକାକରଣ ମାଇଲଖୁଣ୍ଟ ଅତିକ୍ରମ କରି ୨୦୨୧କୁ ଶେଷ କରିଛି । ଏନେଇ ଡାକ୍ତର, ବୈଜ୍ଞାନିକ, ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

କୋରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟିକାକରଣ। ଏନେଇ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରୁ ପ୍ରଥମେ ଦେଶରେ ଟିକାକରଣ ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟସେବା କର୍ମଚାରୀ ଟିକା ନେଇଥିଲେ। ଫେବୃୟାରୀ ୨ ତାରିଖରୁ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟ ଟିକାକରଣ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା।

ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊର୍ଦ୍ଧ୍ବ ଏବଂ ରୋଗାକ୍ରାନ୍ତ ୪୫ ବର୍ଷ ବୟସ୍କରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା। ଏହାପରେ ଏପ୍ରିଲ ୧ ତାରିଖରୁ ସରକାର ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟୀକାକରଣ ଆରମ୍ଭ କରିଥିଲେ। ଏହାପରେ ମେ ମାସ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଟିକା ଦେବା ପାଇଁ ଅନୁମତି ଦେଇଥିଲେ ସରକାର।