କୋରାପୁଟକୁ ଲେଉଟିଲା କରୋନା: ଓଡ଼ିଶା-ଛତିଶଗଡ଼ ସୀମାରେ ସ୍କ୍ରିନିଂ ଆରମ୍ଭ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୧୦ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ହୋମ୍ କ୍ୱାରେଣ୍ଟାଇନରୁ ୪ଜଣ ଓ ସ୍ଥାନୀୟ ସଂକ୍ରମଣ ୬ଜଣ ରହିଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ଜୟପୁର ପୌର ପରିଷଦ ସବ-ଜେଲରୁ ୩ଜଣ, ବୈପାରିଗୁଡ଼ା ବ୍ଲକର ବଡ଼ଗୁଡ଼ା ଗ୍ରାମ,ପଟ୍ଟାଙ୍ଗୀ ଓ ସୁନାରୀ ସାହିରୁ ୨ଜଣ ଲେଖାଏଁ, ସୁନାବେଡ଼ା ପୌରପରିଷଦ କୋବ୍ରା ବାଟ୍ଟାଲିଅନ, ନନ୍ଦପୁର ବ୍ଲକ୍ ଶିରାଗୁଡ଼ା ଓ ସିଡ଼ିପୁଟରୁ ଜଣେ ଲେଖାଁଏ ରହିଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଜିଲ୍ଲାରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶା-ଛତିଶଗଡ଼ ସୀମା ଚାନ୍ଦିଲିରେ ଗୁରୁବାରରୁ  ଥର୍ମାଲ୍ ସ୍କ୍ରିନିଂ ଆରମ୍ଭ କରାଯାଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଛତିଶଗଡ଼ରୁ ଆସୁଥିବା ପ୍ରତ୍ୟେକ ଲୋକର ଥର୍ମାଲ୍ ସ୍କ୍ରିନିଂ କରାଯିବା ପରେ ଓଡ଼ିଶା ସୀମା ଭିତରକୁ ଛଡ଼ା ଯାଉଛି। ଅନ୍ୟପଟେ  ଜିଲ୍ଲାରେ କରୋନା କଟକଣା ପାଳନ ଉପରେ ଗୁରୁତ୍ୱ ଦିଆଯିବା ସହ ମାସ୍କ ପିନ୍ଧିବା, ସାନିଟାଇଜର୍ ବ୍ୟବହାର, ଜନଗହଳି ନକରିବା ପ୍ରତି ପୁଲିସ ଓ ଜିଲ୍ଲା ପ୍ରଶାସନ ଯଥେଷ୍ଟ ଧ୍ୟାନ ଦେଉଥିବା ଦେଖିବାକୁ ମିଳିଛି।