ଦେବଗଡ଼ ରିଜର୍ଭ ପୁଲିସ କ୍ୟାମ୍ପସରେ ପଶିଲା କରୋନା, ୪୮ ଆକ୍ରାନ୍ତ ଚିହ୍ନଟ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବେକାବୁ ହେଉଥିବା ବେଳେ ଲଗାତାର କିଛିଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। କରୋନା ସଂକ୍ରମଣ ରୋକିବା ନେଇ ଲକଡାଉନ ସଟଡାଉନ ଘୋଷଣା ପରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିୟୋଜିତ ପୁଲିସ କର୍ମଚାରୀ ମାନେ ମଧ୍ୟ ସଂକ୍ରମଣର ଶିକାର ହୋଇଥିବା ଜଣାପଡିଛି।

ଇତିମଧ୍ୟରେ ଦେବଗଡ଼ ରିଜର୍ଭ ପୁଲିସ କ୍ୟାମ୍ପସରେ ରହୁଥିବା ୪୮ ଜଣ ଯବାନ କରୋନା ସଂକ୍ରମିତ ହୋଇ ସଂଗରୋଧରେ ଥିବାବେଳେ ରିଆମାଳ କୋର୍ଟ ସବ ଇନ୍ସପେକ୍ଟର ଭବାନୀ ଶଙ୍କର ସାମଲ ଗୁରୁତର ହୋଇ ବୁର୍ଲାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏକ ସମୟରେ ଏତେ ସଂଖ୍ୟକ ପୁଲିସ ବଳ କରୋନା ସଂକ୍ରମିତ ହେବା ଯୋଗୁଁ କୋଭିଡ ପରିଚାଳନାରେ ଜିଲ୍ଲା ପୁଲିସକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଦେବଗଡ଼ ଏସପି ମନୋଜ କୁମାର ମାହାନ୍ତ ସ୍ୱୀକାର କରିଛନ୍ତି। ତେବେ ରିଜର୍ଭ ପୁଲିସ ଯବାନଙ୍କ ସ୍ଥାନରେ ବମପରଡ଼ା ସ୍ଥିତ ଚତୁର୍ଥ ଆଇଆରବି ବାଟାଲିୟନ ଯବାନଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଥିବା ଏସ୍ପି ଶ୍ରୀ ମାହାନ୍ତ ସୂଚନା ଦେଇଛନ୍ତି।