କୋରାପୁଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଲା

କୋରାପୁଟ,ଏନ୍ଏନ୍ଏସ୍ : କୋରାପୁଟ ଜିଲ୍ଲାରେ ୩୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୨ରେ ପହଂଚିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ସ୍ୱାସ୍ଥ୍ୟକର୍ମୀ, ଜଣେ ପୁଲିସ କର୍ମଚାରୀ ଓ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବା ଜଣେ ପୂର୍ବ ଆକ୍ରାନ୍ତ ଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଟିଏମସି କେନ୍ଦ୍ରର ଥିବାବେଳେ ୨୯ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

କୋରାପୁଟ ଜିଲ୍ଲାରେ କରୋନା କାୟା ବିସ୍ତାର କରି ଚାଲିଥିବାବେଳେ ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ପାଇଁ ସବୁ ପ୍ରକାର ଉଦ୍ୟମ କରୁଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକେ ଭୟଭୀତ ନହୋଇ ପ୍ରଶାସନ ଜାରି କରିଥିବା ସମସ୍ତ କଟକଣା ମାନି ଚଳିବାକୁ ପରାମର୍ଶ ଦେଇଛନ୍ତି।