ଦେଶରେ ୬୫ ଲକ୍ଷ ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ଭୂତାଣୁ ସଂକ୍ରାମକ ହୋଇଯାଇଛି। ଏହାକୁ ରୋକିବାକୁ ବର୍ତ୍ତମାନ ସୁଦ୍ଧା କୌଣସି ଟିକା ପ୍ରସ୍ତୁତ ହୋଇନଥିବାବେଳେ ଏଥିରେ ଅନେକ ଲୋକଙ୍କ ପ୍ରାଣ ହାନି ହୋଇଛି। ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ସଂଖ୍ୟା ୬୫ ଲକ୍ଷ ଅତିକ୍ରମ କରିଛି। ଏଥିସହିତ ବିଶ୍ୱ କରୋନା ସଂକ୍ରମଣ ତାଲିକାରେ ଭାରତ ଦ୍ୱିତୀୟରେ ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଦେଶରେ ୭୫ ହଜାର ୮୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୯୪୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫,୪୯,୩୭୪ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧,୦୧,୭୮୨କୁ ବୃଦ୍ଧି ପାଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ୫୫,୦୯,୯୬୭ ଜଣ କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୯,୩୭,୬୨୫ ଜଣ ଚିକିତ୍ସିତ ଅଛନ୍ତି।