ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଚମ୍ପାଖାରିଠାରେ ଆଜି ସକାଳେ ଏକ ମିନି ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ବେଳେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଏହି ମିନି ବସରେ ସୋନପୁରରୁ ୨୭ ଜଣ ଶ୍ରମିକ କାମ ପାଇଁ ଆନ୍ଧ୍ରପ୍ରଦେଶକୁ ଯାଉଥିଲେ। ଏହି ସମୟରେ ଚମ୍ପାଖାରି ଗ୍ରାମ ନିକଟରେ କୌଣସି କାରଣରୁ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୪ ଜଣ ଶ୍ରମିକ ଆହତ ହୋଇଥିଲେ।
ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଛାଡି ଦିଆଯାଇଛି। ବର୍ତ୍ତମାନ ସେମାନଙ୍କ ନିକଟରେ ଯିବାକୁ ଆଉ ଟଙ୍କା ନଥିବାରୁ ସେମାନେ ଘରକୁ ଫେରିବାକୁ ଚିନ୍ତା କରିଛନ୍ତି। ଏନେଇ ସେମାନେ ମାଲକାନଗିରି ବସ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରି ରହିଛନ୍ତି। ସେହିପରି ଫେରିବାକୁ ମଧ୍ୟ ଅର୍ଥ ଅଭାବ ହେଉଥିବାରୁ ପ୍ରଶାସନର ସହାୟତା ଲୋଡିଛନ୍ତି।