ପୁଣି ଡରାଇଲାଣି କରୋନା, ଆଲର୍ଟ ଜାରି କଲେ କେନ୍ଦ୍ର ସରକାର

ନୁଆଦିଲ୍ଲୀ,ଏଜେନ୍ସି: ଏବେ ଏବେ କରୋନା ମହାମାରୀର ତୃତୀୟ ଲହର ପ୍ରଭାବ କମିଆସିଥିବା ବେଳେ ପୁଣି ଥରେ ଡରାଇବା ଆରମ୍ଭ କରିଛି କରୋନା। ଦେଶରେ କିଛି ରାଜ୍ୟରେ ଏବେ ପୁଣି ଥରେ କରୋନା ଉପର ମୁହାଁ ହୋଇଛି ଯାହାକୁ ନେଇ ପୁଣି ଥରେ ଚିନ୍ତା ବଢିଛି।

ବର୍ତ୍ତମାନ କିଛି ଦେଶରେ କରୋନା ମହାମାରୀର ଚତୁର୍ଥ ଲହର ଜାରି ରହିଛି ଯାହାକୁ ନେଇ ଆମ ଦେଶରେ ମଧ୍ୟ କରୋନା ସଂକ୍ରମଣ ବଢିବାର ଭୟ ରହିଛି। ଏଭଳି ସ୍ଥିତିରେ ସବୁଠାରୁ ଅଧିକ ଚିନ୍ତା ବଢାଇଛି ଚାଇନାର ସଂକ୍ରମଣ।

ଅନ୍ତର୍ଜାତୀୟ ଗଣମାଧ୍ୟମ ଗୁଡିକର ରିପୋର୍ଟ ଅନୂଯାଇ ଏବେ ଚୀନରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ଘଟିଛି କେବଳ ଚୀନ ନୁହେଁ ହଂକଂ, ସିଙ୍ଗାପୁର ଓ ଦକ୍ଷିଣ କୋରିଆରେ ମଧ୍ୟ ସଂକ୍ରମଣ ବଢିଛି ଯାହାକୁ ନେଇ ଭାରତରେ ସଂକ୍ରମଣ ବଢିବାର ସମ୍ଭାବନା ଦ୍ୱିଗୁଣିତ ହୋଇଛି।

ଏଭଳି ସ୍ଥିତିରେ ପୁଣି ରାଜ୍ୟମାନଙ୍କୁ ଆଲର୍ଟ ଜାରି କରିଛନ୍ତି କେନ୍ଦ୍ର ସରକାର। ଗତକାଲି ଦେଶରେ କରୋନା ସମୀକ୍ଷା ବୈଠକ ପରେ କରୋନା ସ୍ଥିତିକୁ ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଆଲର୍ଟ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ୍ ମାଣ୍ଡଭିୟ।

ତେବେ ତୃତୀୟ ଲହର ଭଳି ଯଦି ଚତୁର୍ଥ ଲହର ଆସେ ଏହା କେଉଁ ବର୍ଗଙ୍କ ଉପରେ ବେଶି ପ୍ରଭାବ ପକାଇବ, କେତେ ସଂକ୍ରାମକ ହେବ, କେଉଁ ନୂଆ ଭ୍ୟାରିଆଣ୍ଟ ଦ୍ୱାରା ସଂକ୍ରମଣ ବଢିବ ତାକୁ ନେଇ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ ପାଇଚାଲିଛି ମାତ୍ର ଏବେବି ଏନେଇ କିଛି ସ୍ପଷ୍ଟତା ମିଳିପାରିନି।