ବଲାଙ୍ଗୀର,ଏନ୍ଏନ୍ଏସ୍ : କରୋନା ରୋଗରେ ପିଡିତ ହୋଇଥିବା ସନ୍ଦେହରେ ପତିପତ୍ନୀଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାର ଆଇସୋଲେନସର ୱାର୍ଡରେ ଆଜି ସନ୍ଧ୍ୟାରେ ଭର୍ତି କରାଯାଇଛି । ଭର୍ତି ହୋଇଥିବା ପତି ପତ୍ନୀ ଟିଟିଲାଗଡ ଠିକାଦାର ପଡାର ରାହୁଲ ଜୈନ ଓ ଅଳକା ଜୈନ । ସେମାନେ କାନାଡାରେ ରହୁଥିବା ବେଳେ ତାଙ୍କର ଜଣେ ସମ୍ପର୍କିୟଙ୍କ ମୃତ୍ୟୁ ହେବାରୁ ସେମାନେ ଟିଟିଲାଗଡ ଆସିଛନ୍ତି । କାନାଡାରୁ ମୁମ୍ବାଇ ଏୟାରପୋର୍ଟ ଓ ରାୟପୁର ଏୟାରପୋର୍ଟ ଦେଇ ସେମାନେ ଗତ ୧୦ ତାରିଖ ସନ୍ଧ୍ୟାରେ ଟିଟିଲାଗଡରେ ପହଂଚିଥିଲେ । ଉଭୟ ଏୟରପୋର୍ଟରେ ସେମାନଙ୍କ ପରୀକ୍ଷା କରାଯାଇଥିଲା ଓ ସେମାନଙ୍କ ସମ୍ପୁର୍ଣ୍ଣ ଠିକ ଥିବା ଯାଂଚରେ ଜଣାପଡିଛି ବୋଲି ସାଙ୍ଗରେ ଆସିଥିବା ସମ୍ପର୍କିୟ ପବନ ଜୈନ କହିଛନ୍ତି ।
ତେବେ ଏମାନଙ୍କୁ ନେଇ ଟିଟିଲାଗଡରେ ନାନା ପ୍ରକାର ଗୁଜବ ସୃଷ୍ଟି ହୋଇଥିଲା । କାନାଡାରୁ କରୋନା ରୋଗରେ ପିଡିତ ହୋଇ ଦୁଇଜଣ ଆସିଥିବା ଟିଟିଲାଗଡରେ ପ୍ରଚାରିତ ହୋଇଥିଲା । ଫଳରେ ଟିଟିଲାଗଡରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଉଭୟଙ୍କୁ ଆଜି ସଂଧ୍ୟାରେ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତରଖାନାରେ ମେଡିସିନ ସ୍ପେଷାଲିଷ୍ଟ ଉଭୟଙ୍କ ପ୍ରାଥମିକ ଯାଂଚ ଓ ପରୀକ୍ଷା କରିଥିଲେ । ପ୍ରାଥମିକ ପରୀକ୍ଷାରେ ଏମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ତେବେ ରକ୍ତ ନମୁନା ପରୀକ୍ଷା ପଠାଯିବ । ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏମାନଙ୍କୁ ଆଇସୋଲେସନ ୱାଡରେ ରଖାଯିବ ବୋଲି ଡାକ୍ତର କହିଛନ୍ତି ।
ଏହା ସହିତ ରିପୋର୍ଟ ଆସିବାରେ ୫ ରୁ ୭ ଦିନ ଲାଗିବ ବୋଲି ମଧ୍ୟ ସେ କହିଛନ୍ତି । ଅପର ପକ୍ଷରେ ସନ୍ଧିଗ୍ଧଙ୍କ ସମ୍ପର୍କିୟ ଶ୍ରୀ ଜୈନ କହିଛନ୍ତି , ଗୁଜବ ଯୋଗୁଁ ଆଜି ଆମକୁ ହଇରାଣ ହେବାକୁ ପଡୁଛି । କାରଣ ଏମାନେ କାନାଡାରୁ ଆସିବା ସମୟରେ ଏୟାରପୋର୍ଟରେ ତାଙ୍କର ଯାଂଚଞ୍ଚକରାଯାଇଛି ଓ କରୋନା ଆକ୍ରାନ୍ତ ନୁହେଁ ବୋଲି ରିପୋର୍ଟ ରହିଛି । କିନ୍ତୁ ଏହି ଘଟଣା ପ୍ରଚାରିତ ହେବା ପରେ ବଲାଙ୍ଗୀର ସହରରେ ଏହାକୁ ନେଇ ଆଲୋଚନା ଜୋର ଧରିଛି ।