ସୀମା ଚିହ୍ନଟକୁ ନେଇ ବିବାଦ: ସୀମାନ୍ତ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା

କୋରାପୁଟ, ଏନ୍ଏନ୍ଏସ୍: ପଟ୍ଟାଙ୍ଗୀ ତହସିଲ ସମ୍ବାଇ ପଞ୍ଚାୟତର ସୁନାବେଡାରେ ସୀମା ବିବାଦ ସମାଧାନ ହୋଇ ନଥିବାବେଳେ ଜାମ୍ବୁଗୁଡା ଗାଁରେ ପୁଣି ସୀମା ବିବାଦ ଉଗ୍ର ରୂପ ନେଉଛି । ଓଡିଶା ସୀମାବର୍ତ୍ତୀ ଆନ୍ଧ୍ର ପ୍ରଦେଶର ଗ୍ରାମବାସୀ ଜାମ୍ବୁଗୁଡା ଗ୍ରାମରେ ପ୍ରବେଶ କରି ସେମାନଙ୍କ ଜମିରେ ପଥର ରଖି ଚିହ୍ନଟ କରିବାରୁ ବିବାଦ ଦେଖା ଦେଇଥିଲା। ଏହାକୁ ଜାମ୍ବୁଗୁଡା ଗ୍ରାମବାସୀ ବିରୋଧ କରିଥିଲେ। ବିରୋଧ କରିବା ପରେ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏପରିକି ଆନ୍ଧ୍ରର ଲୋକେ ଠେଙ୍ଗାବାଡି ଧରି ଏକତ୍ରିତ ହୋଇ ଆକ୍ରମଣ କରିବାକୁ ବାହାରିବାରୁ ଜାମ୍ବୁଗୁଡା ଗ୍ରାମବାସୀ ଆନ୍ଧ୍ର ସୀମାନ୍ତ ଗ୍ରାମର ୪ ଜଣଙ୍କୁ ଜାମ୍ବୁଗୁଡାରେ ଆଣି ଅଟକ ରଖିଥିଲେ। ଏହି ଖବର ପୁଲିସ ଓ ପ୍ରଶାସନ ନିକଟରେ ପହଞ୍ଚିବା ପରେ ପଟ୍ଟାଙ୍ଗି ତହସିଲଦାର ହରିପଦ ମଣ୍ଡଳ ଓ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ି ଲୋକଙ୍କୁ ବୁଝାସୁଝା କରିବାପରେ ଜାମ୍ବୁଗୁଡା ଗ୍ରାମବାସୀ ୪ ଜଣଙ୍କୁ ଛାଡିଥିବା ଜଣାପଡିଛି।