ଭିସୁଟ କୁଳପତିଙ୍କୁ ଆକ୍ରମଣ: ଟଙ୍କା ପାଇଁ ଚ୍ୟାମ୍ବରରେ ପଶି ପିଟିଲେ ଠିକାଦାର

ସମ୍ବଲପୁର,ଏନ୍ଏନ୍ଏସ୍: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ) କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କୁ ଶନିବାର ମଧ୍ୟାହ୍ନରେ ତାଙ୍କ ପ୍ରକୋଷ୍ଠରେ ପଶି ଆକ୍ରମଣ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ବୁର୍ଲା ଥାନା ଅନ୍ତର୍ଗତ କିର୍ବା ବାସିନ୍ଦା ଅଶୋକ ମିର୍ଦ୍ଧା (୪୧) ନାମକ ଠିକାଦାର କୁଳପତିଙ୍କ ପ୍ରକୋଷ୍ଠରେ ଅଚାନକ ପହଞ୍ଚି ଦୁଇଟି ଚେୟାର ଓ ଟେବୁଲ ଗ୍ଲାସ ଭାଙ୍ଗିବା ସହ କୁଳପତିଙ୍କୁ ଆକ୍ରମଣ ଉଦ୍ୟମ କରିଥିବାବେଳେ ପୁଲିସ ତାଙ୍କୁ ଅଟକ ରଖିଛି। କୁଳପତି ପ୍ର. ଚୌଧୁରୀ ଏତଲା ଦେବା ପରେ ଅଶୋକଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ ଶିଶୁରଞ୍ଜନ ମହାପାତ୍ର କହିଛନ୍ତି। ସମ୍ବଲପୁର ମହାନଗର ନିଗମ (ଏସଏମସି) ଅଞ୍ଚଳରେ ଭିସୁଟ ସମେତ ୪ଟି ବିଶ୍ୱବିଦ୍ୟାଳୟ ରହିଥିବାବେଳେ କୌଣସି କୁଳପତିଙ୍କୁ ଏଭଳି ଭାବେ ଆକ୍ରମଣ ଉଦ୍ୟମ ସର୍ବପ୍ରଥମ।

ପ୍ରାପ୍ତ ଖବରରୁ ପ୍ରକାଶ ଯେ, କୁଳପତି ପ୍ରଫେସର ଚୌଧୁରୀ ତାଙ୍କ ପ୍ରକୋଷ୍ଠରେ ବସିଥିବାବେଳେ ଅଶୋକ ହଠାତ୍ ଭିତରକୁ ପଶି ଆସି କୁଳପତିଙ୍କ ସାମ୍ନାରେ ପଡ଼ିଥିବା ୨ଟି ଚେୟାର ଓ ଟେବୁଲର ଗ୍ଲାସକୁ କୁଳପତିଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲେ। କୁଳପତି ପ୍ରଫେସର ଚୌଧୁରୀ ପାଟିକରି ଆକ୍ରମଣରୁ ବର୍ତ୍ତିବାକୁ ଉଦ୍ୟମ କରିଥିବା ବେଳେ ସୁରକ୍ଷାକର୍ମୀ ଓ କର୍ମଚାରୀମାନେ ପହଞ୍ôଚ ଅଶୋକଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେବାସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଅଶୋକଙ୍କୁ ହେପାଜତକୁ ନେବାସହ ଡାକ୍ତରୀ ପରୀକ୍ଷା ପରେ ଥାନାରେ ଅଟକ ରଖିଛି। ବହୁବର୍ଷ ପରେ ଅଶୋକ ଭିସୁଟରେ କିଛି ଠିକା କାମ କରିଥିବା ବେଳେ ତାଙ୍କ ଦ୍ୱାରା ଜମା ହୋଇଥିବା ଅମାନତ ବାବଦ ୪ ହଜାର ଟଙ୍କା ଫେରସ୍ତ ପାଇଁ ଏଭଳି ଘଟଣା ଭିଆଇଥିବା ଜଣାପଡ଼ିଛି।

ଅପରପକ୍ଷେ କୁଳପତି ପ୍ରଫେସର ଚୌଧୁରୀ ସେ ଅଶୋକଙ୍କୁ ଆଦୌ ଚିହ୍ନି ନଥିବା ଓ ସେ କେବେ ହେଲେ ତାଙ୍କ ପାଖକୁ ଆସି ଅମାନତ ଟଙ୍କା ଫେରସ୍ତ ପାଇଁ କହିନଥିବା ପ୍ରକାଶ କରିଛନ୍ତି। ସେହିପରି ଭିସୁଟ କାର୍ଯ୍ୟାଳୟକୁ ମଧ୍ୟ ଅଶୋକ ଅମାନତ ଟଙ୍କା ଫେରସ୍ତ ପାଇଁ କେବେ ଆସି ନଥିବା କର୍ମଚାରୀମାନେ କହିଛନ୍ତି। ଏଣେ ଅଶୋକ ହଠାତ୍ ଏଭଳି ଆକ୍ରମଣାତ୍ମକ ହେବାର କାରଣ ନେଇ ଏସଡିପିଓ ଶ୍ରୀ ମହାପାତ୍ରଙ୍କୁ ଆମେ ପଚାରିଥିଲୁ। ଅଶୋକ ବେଳେବେଳେ ଏଭଳି ଆଚରଣ କରୁଥିବା ତାଙ୍କ ପରିବାର ଲୋକେ କହିଥିବା ଏସଡିପିଓ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।