ଆଇପିଏଲ୍‌: କୋଲକାତାର ଲଗାତାର ୫ମ ପରାଜୟ, ୪ ୱିକେଟ୍‌ରେ ଜିତିଲା ଦିଲ୍ଲୀ

ମୁମ୍ବାଇ,ଏଜେନ୍ସି: ଆଇପିଏଲ୍‌-୨୦୨୨ର ୪୧ତମ ମ୍ୟାଚ୍‌କୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ୱିକେଟ୍‌ରେ ଜିତିଛି । ଏଥି ସହିତ କୋଲକାସ୍ଫତା ନାଇଟ୍ ରାଇଡର୍ସ ଲଗାତାର ୫ମ ଥର ପାଇଁ ପରାଜିତ ହୋଇଛି । କୋଲକାତା ଏପର୍ଯ୍ୟନ୍ତ ମୋଟ୍ ୯ଟି ମ୍ୟାଚ୍ ଖେଳିଥିବା ବେଳେ ୩ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ୮ମ ସ୍ଥାନରେ ରହିଛି । ତେବେ ଟିମ୍ ଦିଲ୍ଲୀ ଠାରୁ ୨ ଥର, ସନ୍‌ରାଇଜର୍ସ ହାଇଦ୍ରାବାଦ୍‌, ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ଠାରୁ ପରାସ୍ତ ହୋଇଛି ।

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ର ଗୁରୁବାର ମ୍ୟାଚରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୯ୱିକେଟରେ ୧୪୬ ରନ୍ କରିଥିଲା । ନୀତିଶ ରାଣା ସର୍ବାଧିକ ୫୭ ରନ୍ କରିଥିଲେ । ଅଧିନାୟକ ଶ୍ରେୟସ ଆୟର ୪୩ ରନ୍ କରିଥିଲେ । ରିଙ୍କୁ ସିଂହଙ୍କ ବ୍ୟାଟ୍‌ରୁ ୨୩ ରନ୍ ମିଳିଥିଲା । ଦଳର ୫ ଜଣ ଖେଳାଳି ସୁନୀଲ ନାରାୟଣ, ଆନ୍ଦ୍ରେ ରସେଲ, ଉମେଶ ଯାଦବ, ଟିମ୍ ସାଉଦୀ ଓ ହର୍ଷିତ ରାଣା କୌଣସି ରନ୍ ନକରି ପାଭଲିଅନ୍‌କୁ ଫେରି ଆସିଥିଲେ ।

ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଲକ୍ଷ୍ୟକୁ ୧୯ ଓଭରରେ ପୂରା କରିଥିଲା । ୬ୱିକେଟ ହରାଇ ୧୫୦ ରନ୍ କରିଥିଲା । ଡେଭିଡ ୱାର୍ଣ୍ଣର ସର୍ବାଧିକ ୪୨ ରନ୍‌, ରୋଭମ୍ୟାନ ପୋୱେଲ ଅପରାଜିତ ୩୩ ରନ୍‌, ଅକ୍ଷର ପଟେଲ ୨୪ ରନ୍ ଓ ଲଳିତ ଯାଦବ ୨୨ ରନ୍ ବ୍ୟକ୍ତିଗତ ଭାବେ ସଂଗ୍ରହ କରିଥିଲେ ।