ଟୁଇଟର କିଣିବା ପରେ ଏଲନ୍ ମସ୍କଙ୍କ ନୂଆ ଟୁଇଟ୍‌

ନୂଆଦିଲ୍ଲୀ,ଏଜେନ୍ସି: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟୁଇଟର’ ପରେ ଏବେ ଟେସ୍‌ଲାର ସିିଇଓ ଏଲନ ମସ୍କଙ୍କ ଅନ୍ୟ ଏକ ଟୁଇଟ୍‌କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଏଲନ ମସ୍କ ଟୁଇଟ୍ କରି କହିଛନ୍ତି, ସେ କୋକାକୋଲା କିଣିବେ । ଟୁଇଟରର ମାଲିକ ହେବା ପରେ ଏଲନ ମସ୍କ ସାମାଜିକ ଗଣମାଧ୍ୟମରେ ବେଶ୍ ସକ୍ରିୟ ଅଛନ୍ତି । ସେ ଏକାଥରକୁ ଅନେକ ଟୁଇଟ୍ କରୁଛନ୍ତି । ଗୋଟିଏ ପରେ ଗୋଟିଏ ଟୁଇଟ୍ କରୁଛନ୍ତି ।

ଏଲନ ମସ୍କ ଗୁରୁବାର ଦିନ ଆଗାମୀ ପାଳି କୋକାକୋଲା ବୋଲି କହିଛନ୍ତି । ସେ ଟୁଇଟ୍ କରିଛନ୍ତି ଯେ, ଏବେ କୋକାକୋଲା କିଣିବାକୁ ଯାଉଛି । ଫଳରେ ଏଥିରେ କୋକୀନ ଦେଇପାରିବି ।

କୋକାକୋଲା କିଣିବାକୁ ନେଇ ଏଲନ ମସ୍କଙ୍କ ଟୁଇଟ୍ ଭାଇରାଲ ହେବାରେ ଲାଗିଛି । ଏଲନ ମସ୍କ ଆଜି ସାଢ଼େ ୬ଟାରେ ଏହି ଟୁଇଟ୍ କରିଥିଲେ । ତେବେ ଅଢ଼େଇ ଘଣ୍ଟା ମଧ୍ୟରେ ୨ ଲକ୍ଷ ୨୦ ହଜାର ଲୋକ ପ୍ରତିକ୍ରିୟା ଦେଇଥିବା ବେଳେ ୧୦ ଲକ୍ଷ ୨୦ ହଜାର ଲୋକ ଟୁଇଟ୍‌କୁ ପସନ୍ଦ କରିଛନ୍ତି ।

ସୂଚନାଯୋଗ୍ୟ, ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କ ଗତ ୨୬ ତାରିଖରେ ଟୁଇଟରକୁ କିଣିଛନ୍ତି । କଂପାନୀ କହିଛି ଯେ, ୪୪ ବିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ୩୩୬୮ କୋଟି ଟଙ୍କାରେ ଏହା କିଣାଯାଇଛି । ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ନେଟୱାର୍କିଂ ସାଇଟ ଟୁଇଟରକୁ କିଣିବା ନେଇ ଏଲନ ମସ୍କ ସହିତ ଡିଲ ମଧ୍ୟରେ ଟୁଇଟର କହିଛି ଯେ, ଅଧିଗ୍ରହଣ ପ୍ରକ୍ରିୟା ପୂରା ହେବା ପରେ ଏହା ଏକ ଘରୋଇ ସ୍ୱାମୀତ୍ୱ କଂପାନୀ ହୋଇଯିବ ।