ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଖର୍ଚ୍ଚ ୧୧୦୦ କୋଟି

ନାଗପୁର,ଏଜେନ୍ସି: ଦୀର୍ଘଦିନର ଆଇନଗତ ଲଢେଇ ପରେ ଶେଷରେ ସୁପ୍ରିମକୋର୍ଟଙ୍କ ରାୟ ବଳରେ ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଖୁବଶୀଘ୍ର ନିର୍ମିତ ହେବାକୁ ଯାଉଛି ରାମ ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହାର ଭୂମିପୂଜନ ହୋଇସାରିଛି। ତେବେ ଏହି ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଏହାର ନିର୍ମାଣ ଦାୟିତ୍ୱ ନେଇଥିବା ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି ମହାରାଜ ସୂଚନା ଦେଇଛନ୍ତି। ଇତିମଧ୍ୟରେ ସ୍ଥପତି ଓ ଇଂଜିନିୟରମାନେ ମନ୍ଦିରର ନକ୍ସାକୁ ଚୂଡାନ୍ତ କରିସାରିଛନ୍ତି। ମୁଖ୍ୟ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୪୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାବେଳେ ପରିସରରେ ଅନ୍ୟ ପ୍ରକଳ୍ପଗୁଡିକର ନିର୍ମାଣ ଖର୍ଚ୍ଚ ୭୦୦ କୋଟି ଟଙ୍କା ହେବ ବୋଲି ଗୋବିନ୍ଦ ମହାରାଜ କହିଛନ୍ତି।

ମନ୍ଦିରର ମୂଳଦୁଆକୁ ଯଥାସମ୍ଭବ ମଜଭୁତ କରିବା ପାଇଁ ବମ୍ବେ, ଦିଲ୍ଳୀ, ମାଡ୍ରାସ ଓ ଗୁଆହାଟୀ ଆଇଆଇଟି ସମେତ ରୁରକିସ୍ଥିତ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍, ଏଲ ଆଣ୍ଡ୍ ଟି ଏବଂ ଟାଟା କମ୍ପାନୀର ବିଶେଷଜ୍ଞଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ କରାଯାଇଛି। ମନ୍ଦିର ନିର୍ମାଣ ପାଇଁ ଅନଲାଇନରେ ଏପର୍ଯ୍ୟନ୍ତ ୧୦୦ କୋଟି ଟଙ୍କାର ଅନୁଦାନ ମିଳିସାରିଲାଣି। ଏହାବ୍ୟତୀତ ବାକି ଅନୁଦାନ ନିମନ୍ତେ ଦେଶବ୍ୟାପୀ ୧୧ କୋଟି ପରିବାରକୁ ନିବେଦନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ବ୍ୟାପକ ଅଭିଯାନ ଆରମ୍ଭ ହୋଇସାରିଲାଣି।