ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦସ୍ତଖତ ଅଭିଯାନ

ବଲାଙ୍ଗିର,ଏନ୍ଏନ୍ଏସ୍: ଅହେତୁକ ତୈଳ ଦର ବୃଦ୍ଧି ନେଇ ସାରା ଦେଶରେ ତୀବ୍ର ଜନଅସନ୍ତୋଷ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସର ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଏହାର ପ୍ରତିବାଦରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ସେହି କ୍ରମରେ ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ମୁଖ୍ୟ ଡାକଘର ସମ୍ମୁଖରେ ଥିବା ପେଟ୍ରୋଲ ପମ୍ପ ଠାରେ ଛାତ୍ର କଂଗ୍ରେସ ତରଫରୁ ତୈଳଦର ବୃଦ୍ଧି ବିରୋଧରେ ନାରାବାଜି କରାଯିବା ସହିତ ଜନସାଧାରଣଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି। ଦରଦାମ ନିୟନ୍ତ୍ରଣ କରିବା ସ୍ୱପ୍ନ ଦେଖାଇ ମୋଦୀ ସରକାର କେନ୍ଦ୍ରର ଗାଦି ହାତେଇ ଥିଲେ। କିନ୍ତୁ ମୋଦୀ ସରକାର ଆସିବା ଦିନଠୁ ଦେଶରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ଆକାଶ ଛୁଆଁ ହୋଇଛି। ବିଶ୍ୱ ବଜାରରେ ତୈଳଦର ସର୍ବନିମ୍ନ ସ୍ତରରେ ଥିବାବେଳେ ଦେଶବାସୀଙ୍କ ଠାରୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଖଜଣା ଆଦାୟ କରାଯାଉଛି।

୨୦୧୪ ମସିହାରେ ପେଟ୍ରୋଲ ୭୦ ଟଙ୍କ ଥିବା ବେଳେ ବର୍ତ୍ତମାନ ଏହା ଶତକ ପାର କରିଛି। ସେହିପରି ଡିଜେଲ ୬୦ ଟଙ୍କା ଥିବା ବେଳେ ଏହା ମଧ୍ୟ ୧୦୦ ଛୁଇଁଛି। ୪୦୦ ଟଙ୍କାରେ ମିଳୁଥିବା ରନ୍ଧନ ଗ୍ୟାସ ମୂଲ୍ୟ ଏବେ ୮୦୦ ପାର କରିଛି। କରୋନା ମହାମାରୀରେ ସର୍ବସ୍ୱ ହରାଇଥିବା ଗରିବ ଜନତାଙ୍କ ଉପରେ ମୋଦୀ ସରକାର ୨୦୧୪ ଅପେକ୍ଷା ପେଟ୍ରୋଲର ଉତ୍ପାଦନ ଶୁଳ୍କ ୨୪୭% ବୃଦ୍ଦି କରିଥିବା ବେଳେ ଡିଜେଲରେ ଅବିଶ୍ୱସନୀୟ ଭାବେ ୭୯୫% ଉତ୍ପାଦନ ଶୁଳ୍କ ଲଗାଇଛି। ଯାହା ସାରା ବିଶ୍ୱରେ ସର୍ବାଧିକ। ତୈଳଦର ବୃଦ୍ଧି ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦର ଉପରେ ପ୍ରଭାବ ପକାଇଛି। ଫଳରେ ଚାଉଳ, ଡାଲି, ଖାଇବା ତେଲ, ପନି ପରିବା ସବୁ ଜଣେ ସାଧାରଣ ବର୍ଗ ଖାଉଟିଙ୍କ ପହଞ୍ଚରୁ କାହିଁ ଦୂରରେ ରହିଛି। ଅନ୍ୟପଟେ କେନ୍ଦ୍ର ସରକାର ଅସମ୍ବେଦନଶୀଳ ଭାବେ କେବଳ ନିଜ ଖଜଣା ଭରିବାର ବ୍ୟସ୍ତ ରହିଛି।

ବିଗତ ୭ ବର୍ଷରେ କେନ୍ଦ୍ର ସରକାର କେବଳ ତୈଳରୁ ପ୍ରୟ ୨୫ ଲକ୍ଷ କୋଟି ଖଜଣା ଆଦାୟ କରିଥିବା ଏକ ସର୍ଭେରୁ ଜଣାପଡିଛି ବୋଲି ଛାତ୍ର କଂଗ୍ରେସ କହିଛି। କେନ୍ଦ୍ର ସରକାର ଯଥା ଶୀଘ୍ର ତୈଳ ଦର କମ ନକଲେ ଆଗକୁ ଏହା ଏକ ଜନ ଆନ୍ଦୋଳନର ରୂପ ନେବ ଏବଂ ସେଥିପାଇଁ କେନ୍ଦ୍ର ସରକାର ଦାୟୀ ରହିବେ ବୋଲି ଛାତ୍ର କଂଗ୍ରେସ ଚେତାଇ ଦେଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଜିତ ମହାନନ୍ଦ, ଟୁଲୁ ସେନ, ନିରଞ୍ଜନ ମିଶ୍ର, ଶୁଭେନ୍ଦୁ ସାହୁ, ଅଞ୍ଚଳ ପଣ୍ଡା, ଗୌରବ ଶର୍ମା, ସୁରେଶ ସିଂ, ଶଙ୍କର ବିଶି, ଅମିତ ମିଶ୍ର, ସୁଜିତ କୁମ୍ଭାର, ଅମିତ କୁମ୍ଭାର, ରମଣୀ ନାୟକ, ଅଜୟ ନାଗ, ମିଲୁ ସେଠ ପ୍ରମୁଖ ଉପସ୍ଥିତ ଥିଲେ।