ବଲାଙ୍ଗିର,ଏନ୍ଏନ୍ଏସ୍: ଆଜି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଜମି ତଥା ଅନ୍ୟାନ୍ୟ ସମସ୍ୟାକୁ ନେଇ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ୩ ଦଫା ଦାବିପତ୍ର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଆଜି ମଧ୍ୟାହ୍ନରେ ବିଶ୍ୱ ବିଦ୍ୟାଳୟର ଛାତ୍ର ନେତା ତଥା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ଛାତ୍ର ପ୍ରତିନିଧି ଦଳ ବିଶ୍ୱ ବିଦ୍ୟାଳୟର କୂଳପତିଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଯେହେତୁ ବିଶ୍ୱ ବିଦ୍ୟାଳୟର ନାଁ’ରେ ଆଜି ପର୍ଯ୍ୟନ୍ତ ଜମି ହସ୍ତାନ୍ତର ହୋଇପାରୁନାହିଁ ତେଣୁ ବିଶ୍ୱ ବିଦ୍ୟାଳୟ ତଥା ଏହାର ଛାତ୍ର ଛାତ୍ରୀମାନେ ସରକାରଙ୍କ ଅନେକ ପ୍ରକାର ସୁବିଧାରୁ ବଞ୍ଚିତ ହେଉଛନ୍ତି। ଯେପରି କି ବିଶ୍ୱ ବିଦ୍ୟାଳୟ ନାଁ’ରେ ଜମି ନଥିବାରୁ ଏନ୍ସିଟିଇ ଏବର୍ଷ ବି.ଇଡି ପାଠ୍ୟକ୍ରମରେ ନାମଲେଖା ବନ୍ଦ କରିଦେଇଛି।
ଆହୁରି ମଧ୍ୟ ଅଧ୍ୟାପକ ଓ ପ୍ରାଧ୍ୟାପକ ଅଭାବରୁ ଅନେକ ଗୁଡିଏ ବିଭାଗ କେବଳ ସାଇନବୋର୍ଡରେ ପରିଣତ ହୋଇସାରିଲାଣି। ସେ ସବୁ ବିଭାଗ ଗୁଡିକରେ ବିଦ୍ୟାର୍ଥୀମାନେ କିପରି ପାଠ ପଢିବେ କେହି କହିପାରୁନାହାନ୍ତି। ଯେହେତୁ ଏହି ବିଶ୍ୱ ବିଦ୍ୟାଳୟ ସମଗ୍ରୀକ ଭାବେ ଏକ ପଛୁଆ ତଥା ଗରିବ ଅଞ୍ଚଳରେ ଅବସ୍ଥିତ, ଏଠିକାର ଛାତ୍ରମାନେ ବାହାରେ ଶିକ୍ଷାଲାଭ କରିବା ପାଇଁ ଆର୍ଥିକ ସ୍ତରରେ ସମର୍ଥ ନୁହନ୍ତି। ତେଣୁ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ କୂଳାଧିପତିଙ୍କ ଉଦ୍ଦେଶ୍ୟରେ ବିଶ୍ୱ ବିଦ୍ୟାଳୟର କୂଳପତି ଉମାବଲ୍ଲଭ ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ଯଦି ଏସବୁ ସମସ୍ୟାର ସମାଧାନର ବାଟ ଶୀଘ୍ର ବାହାର କରାନଯାଏ ତେବେ ଆଗାମୀ ଦିନରେ ଜିଲ୍ଲା ଛାତ୍ର କଂଗ୍ରେସ ସମଗ୍ର ଅଞ୍ଚଳର ଛାତ୍ରଛାତ୍ରୀ ଅଭିଭାବଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଅନ୍ୟ ଏକ ଦାବିପତ୍ର ଯାହାକି କୂଳପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ସେଥିରେ ବିଶ୍ୱ ବିଦ୍ୟାଳୟ ପାଇଁ ଖେଳ ପଡିଆ, ୟୁନିଭରସିଟିର ନିଜସ୍ୱ ଲାଇବ୍ରେରି, ରିଡିଂ ରୁମ୍, ଷ୍ଟୁଡେଣ୍ଟ କମନ ରୁମ ଇତ୍ୟାଦି ସମସ୍ୟା ଶୀଘ୍ର ପୂରଣ କରିବା ପାଇଁ ଦାବି କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ନେତା ନୀତିଶ ପ୍ରଧାନ, ଶୁଭେନ୍ଦୁ ସାହୁ, ଦିନେଶ ସାହୁ, ଅଞ୍ଚଳ ପଣ୍ଡା, ସରୋଜ ସାହୁ, ଅମନ ଅଲି, ପାୟଲ ଅଗ୍ରୱାଲ, ନାରାୟଣ ସାହୁ, ଆଶୀଷ ମହାରଣା, ବିଷ୍ଣୁ ପ୍ରସାଦ ଭୁଏ, ସମୀର କୁମ୍ଭାର, ରାଜେନ୍ଦ୍ର ଭୋଇ, ଚିନ୍ମୟ ବେହେରା ଓ ରୋଶନ ପଣ୍ଡା ପ୍ରମୁଖ ପ୍ରତିନିଧି ଦଳରେ ସାମିଲ ଥିଲେ।