ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଝାରସୁଗୁଡ଼ା: ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି। ତୈଳ ଦର ହ୍ରାସ କରିବା ଦାବିରେ ଆଜି ବେହେରାମାଲସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, କାରୋନାର ଦ୍ୱିତୀୟ ଲହର ସାରା ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦୀ ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି କରିବାରେ ଲାଗିଛନ୍ତି । ଦେଶର କେତେକ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲର ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି। ଏଥିପାଇଁ ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ହେଉଥିବାବେଳେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଗତ ୧୩ ମାସ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ଦର ୨୫.୭୨ ପଇସା ଓ ଡିଜେଲ ଦର ୨୩.୯୩ ପଇସା ବଢ଼ିଥିବା ବେଳେ ଚଳିତ ବର୍ଷର ଗତ ୫ମାସ ମଧ୍ୟରେ ୪୩ଥର ଦର ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତୈଳଜାତ ଦ୍ରବ୍ୟର ଦର ବୃଦ୍ଧି ପରିବହନ ଓ ସମସ୍ତ ବ୍ୟବସାୟ ଉପରେ ସିଧାସଳଖ ପ୍ରଭାବ ପାକାଉଥିବାରୁ ସବୁ ଜିନିଷର ଦରଦାମରେ ବୃଦ୍ଧି ଘଟୁଛି । ସରକାର ଟିକସ ବୃଦ୍ଧି ବାହାନାରେ ମହାମାରୀ ସମୟରେ ତୈଳଜାତ ଦ୍ରବ୍ୟର ଦର ବୃଦ୍ଧି କରୁଛନ୍ତି। ତେଣୁ ଅହେତୁକ ତୈଳ ଦର ବୃଦ୍ଧିକୁ ସରକାର ଶୀଘ୍ର ହ୍ରାସ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।