କଂଗ୍ରେସକୁ ନୂଆ ମୁଖ୍ୟ ଖୋଜିବାର ଆବଶ୍ୟକତା ଅଛି: ଶଶୀ ଥରୁର

ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶୀ ଥରୁର କଂଗ୍ରେସ ପାଇଁ ନୂଆ ଅଧ୍ୟକ୍ଷ ଚୟନ କରିବାକୁ ପରାମର୍ଶ ଦେଇଛନ୍ତି। ସୋନିଆ ଗାନ୍ଧୀ ବର୍ତ୍ତମାନ ଅଧିକ ସମୟ ପର୍ଯ୍ୟନ୍ତ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ପଦବୀ ସମ୍ଭାଳିପାରିବେ ନାହିଁ। ରାହୁଲ ଗାନ୍ଧୀଙ୍କ ପାଖରେ କଂଗ୍ରେସର ପୂର୍ଣ୍ଣକାଳିକ ସଭାପତି ପଦ ସମ୍ଭାଳିବା ପାଇଁ ପୂରା ଦକ୍ଷତା ରହିଛି। ତେବେ ଯଦି ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହେବାକୁ ଚାହୁଁନାହାନ୍ତି, ତାହାଲେ କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ କରିବା ଦରକାର ବୋଲି ଶଶୀ ଥରୁର ମନ୍ତବ୍ୟ ଦେଇଛନ୍ତି। ସୋନିଆ ଗାନ୍ଧୀ ଅନିଶ୍ଚିତ ସମୟ ପାଇଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱ ନେବାକୁ ଆଶା କରିବା ଅନୁଚିତ୍। ରାହୁଲ ଗାନ୍ଧୀଙ୍କ ପ୍ରଶଂସା କରି ଥରୁର କହିଛନ୍ତି ଯେ, କଂଗ୍ରେସ ଦଳର ଅଧ୍ୟକ୍ଷ ଭାର ଗ୍ରହଣ କରିପାରିବାର ଦକ୍ଷତା ରାହୁଲଙ୍କ ପାଖେ ରହିଛି। କଂଗ୍ରେସ ବର୍ତ୍ତମାନ ଲକ୍ଷ୍ୟହୀନ ଏବଂ ଦିଗହୀନ ବୋଲି କିଛି ଲୋକଙ୍କ ମନରେ ଯେଉଁ ଧାରଣା ରହିଛି, ତାହାକୁ ବାହାର କରିବାକୁ ହେଲେ କଂଗ୍ରେସ ତୁରନ୍ତ ନିଜର ପୂର୍ଣ୍ଣକାଳିକ ଅଧ୍ୟକ୍ଷ ଚୟନ କରିବା ଦରକାର। ଦଳର ଅଧ୍ୟକ୍ଷ ଚୟନ ଏକ ଗଣତାନ୍ତ୍ରିକ ଏବଂ ଭାଗୀଦାରୀପୂର୍ଣ୍ଣ ପ୍ରକ୍ରିୟା ଦ୍ୱାରା କରାଯିବା ଦରକାର ବୋଲି ଦଳର ବରିଷ୍ଠ ନେତା ଶଶୀ ଥରୁର ମତପ୍ରକାଶ କରିଛନ୍ତି।