ପ୍ରଶାସନର ଅମାନବୀୟ ଉଛେଦ ପ୍ରକ୍ରିୟାକୁ କଂଗ୍ରେସର ନିନ୍ଦା

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲାର ବ୍ୟବସାୟୀ ନଗରୀ ମୁନିଗୁଡ଼ାରେ ବ୍ୟବସାୟୀଙ୍କୁ ଥଇଥାନ ନକରି ଉଛେଦ କରିବା ପ୍ରକ୍ରିୟାକୁ ବ୍ଲକ କଂଗ୍ରେସ ତରଫରୁ ସଭାପତି ନୀଳାମ୍ବର ବିଭାର ଘୋର ନିନ୍ଦା କରିଛନ୍ତି । ଏକ ପ୍ରେସ ବିବୃତି ମାଧ୍ୟମରେ ଶ୍ରୀ ବିଭାର ପ୍ରତିକ୍ରିୟା ରଖି ଛନ୍ତି ଯେ, ଆମେ ସରକାରଙ୍କ ବିକାଶ କାର୍ଯ୍ୟକୁ ବିରୋଧ କରୁନାହୁଁ କିନ୍ତୁ ବିକାଶ ନାଁରେ ଯେଉଁଭଳି ଭାବେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ଅତି ଅମାନବୀୟ ଭାବେ ବିନାଶ ପଥକୁ ଠେଲି ଦିଅଯାଉଛି, ସେମାନଙ୍କ ୫୦ବର୍ଷର ଜୀବନ ଜୀବିକାକୁ ଜିଲ୍ଲାପାଳ ସୁଧୀର କୁମାର ଦାସଙ୍କ ଉପସ୍ଥିତିରେ ଯେପରି ଧ୍ୱଂସ କରିଦିଆଯାଉଛି ତା’ର ଘୋର ନିନ୍ଦା କରୁଛି । ଯଦି ଆମ ଅଞ୍ଚଳର ମାନ୍ୟବର ବିଧାୟକ ତଥା ମନ୍ତ୍ରୀ ଚାହିଁଥାନ୍ତେ ତେବେ ବ୍ୟବସାୟୀମାନେ ଉଚ୍ଛେଦର ଶିକାର ହୋଇ ନଥାନ୍ତେ । ଏହି ଅସମୟରେ ସାଂସଦଙ୍କ ଭୂମିକା ବିଷୟରେ ପଚାରିବାରୁ ଏବେ ଶୀତକାଳୀନ ଅଧିବେଶନ କାରଣରୁ ସାଂସଦ ଦିଲ୍ଲୀରେ ଅଛନ୍ତି ଏବଂ ରେଳମନ୍ତ୍ରୀଙ୍କ ସହ ଯୋଗାଯୋଗ ମଧ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିବା ସେ ଜଣାଇଥିଲେ ।

ପ୍ରକାଶଥାଉ କି, ପାଖାପାଖି ୧୫୦ ବ୍ୟବସାୟୀ ପ୍ରତିଷ୍ଠାନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ପୁରୁଣା ହନୁମାନ ମନ୍ଦିରଠାରୁ ସାଇନ୍ ହୋଟେଲ ପର୍ଯ୍ୟନ୍ତ ବ୍ୟବସାୟୀଙ୍କ ଦୋକାନ ଉଚ୍ଛେଦ କରାଯାଇଥିବାବେଳେ ଗତକାଲି ୩୭ଟି ଦୋକାନ ରେଳ ବିଭାଗ ତରଫରୁ ଭାଙ୍ଗି ଦିଆଯାଇଥିଲା । ଅବଶିଷ୍ଟ ଦୋକାନ ଗୁଡ଼ିକୁ ଆସନ୍ତା ୩୧ତାରିଖରେ ଉଚ୍ଛେଦ କରିବାକୁ ଦିନ ଘୋଷଣା କରିଥିବା ଜଣାଯାଏ । ଆଜି କଂଗ୍ରେସ ତରଫରୁ ପ୍ରଶାସନର ଅମାନବୀୟ ଉଚ୍ଛେଦ ନୀତିକୁ ବିରୋଧ କରିବା ସହ ଆଗାମୀ ଉଚ୍ଛେଦ ପୂର୍ବରୁ ସମସ୍ତ ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ପ୍ରଶାସନକୁ ଚେତାବନୀ ଦିଆଯାଇଛି । ଅନ୍ୟଥା କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ବାଧ୍ୟ ହେବ ବୋଲି ସଭାପତି ଶ୍ରୀ ବିଭାର ଜଣାଇଥିଲେ । ପ୍ରେସ ବିବୃତି ଦେବା ସମୟରେ ମୁନିଗୁଡ଼ା ସରପଞ୍ଚ ସରସ୍ୱତୀ ଶବର, ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରଶେଖର କୁଷୁଲିଆ,ରମେଶ ଚନ୍ଦ୍ର ପାଲାକା, ରଜନୀ ପୋଡ଼ାଲ, ଚିତ୍ତ ମାଳିନୀ, ନାରାୟଣ ନାଗ, ସୁରେଶ କୁଶୁଲିଆ, ଦୂର୍ବାଦଳ କାଟା, ସୁବଳ ନାଗ ଓ ଆନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।