ଦେବଗଡ଼,ଏନ୍ଏନ୍ଏସ୍: ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ ଦେବଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି। ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତୃତ୍ୱରେ ବହୁ ମହିଳା ଓ ପୁରୁଷ କଂଗ୍ରେସ କର୍ମୀ ସକାଳ ୭ଟାରୁ ପୁରଣାଗଡ଼ ପେଟ୍ରୋଲ ପମ୍ପ ଛକ ନିକଟସ୍ଥ ବାଇପାସ ରାସ୍ତାରେ ୪୯ ଓ ୫୩ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ସହସ୍ରାଧିକ ଯାନବାହାନ ଅଟକି ରହିଥିଲା। ସେହିପରି କଂଗ୍ରେସ କର୍ମୀମାନେ ଦଳ ଦଳ ହୋଇ ବିଭିନ୍ନ ସ୍ଥାନରେ ବନ୍ଦ ପାଳନକୁ କାର୍ଯ୍ୟକାରୀ କରୁଥିବା ଦେଖିବାକୁ ମିଳିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା। ତେବେ କିଛି କିଛି ସ୍ଥାନରେ ଖୋଲିଥିବା ଦୋକାନ ବଜାରକୁ କଂଗ୍ରେସ କର୍ମୀମାନେ ପିକେଟିଂ କରି ବନ୍ଦ କରିଥିଲେ। ସଭାପତି ଶ୍ରୀ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ଏସ ଟିସେଲ ସଭାପତି କ୍ଷେତ୍ର କୁମାର ପାତ୍ର, ସଂଖ୍ୟାଲଘୁ ସେଲ ସଭାପତି ମୋଇନ ଖାନ୍, ଏସସି ସେଲ ସଭାପତି ମଞ୍ଜୁଲ ନ୍ଧଶଳ, ଦେବଗଡ଼ ନଗର ସଭାପତି ପ୍ରକାଶ ଚନ୍ଦ୍ର ଦେବତା, ପୂର୍ବତନ ନଗର ସଭାପତି ସୁବାସ ଚନ୍ଦ୍ର ଭୋଇ, ମିଡିଆ ସେଲ ସଂଯୋଜକ ପଞ୍ଚୁ ଲାଲ ବରାଇ, ବିକାଶ ଖଡ଼ିରତ୍ନ, ସଞ୍ଜୟ କୁମାର ଦେଓ, ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ କୁମାର ମିଶ୍ର, ବସନ୍ତ କୁମାର ମିଶ୍ର ଓ କ୍ଷିତିଶ ପ୍ରଧାନ ପ୍ରମୁଖ ଏହି ବନ୍ଦ ପାଳନରେ ସକ୍ରିୟ ସହେଯାଗ କରିଥଲେ। ତିଲେଇବଣୀ ବ୍ଲକ ମୁଖ୍ୟାଳୟରେ ବ୍ଲକ ସଭାପତି ଗଣେଷ କୁମାର ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବନ୍ଦ ପାଳନ କରିଥିବା ବେଳେ ରିଆମାଳ ବ୍ଲକରେ ସଭାପତି ସୁଶିଲ କୁମାର ସାହୁ ଓ ବାରକୋଟ ବ୍ଲକ ମୁଖ୍ୟାଳୟରେ ସଭାପତି କ୍ଷୀରୋଦ ସାଗର ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଜାତୀୟ ରାଜପଥ ଅବରୋଧ କରିବା ସହ ବନ୍ଦରେ ସାମିଲ ହୋଇଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କାରେ ଜିଲ୍ଲା ପୁଲିସ ପକ୍ଷରୁ ସାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ବଳ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି।