ଜିଲ୍ଲା କଂଗ୍ରେସ ପକ୍ଷରୁ ଚତୁର୍ଥ ଦିନରେ ଅନଶନ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଚାଲିଥିବା ଅନଶନ ୪ର୍ଥଦିନରେ ପହଞ୍ଚିଛି। ଅନଶନକାରୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟୁଥିବା ବେଳେ ଅନଶନ କାରୀଙ୍କ ସହ କୌଣସି ଜିଲ୍ଲା ପ୍ରଶାସନିକ ଅଧିକାରୀ ଆଲୋଚନା ପାଇଁ ଆସି ନଥିବାରୁ ଏହି ଅନଶନ ଆଗକୁ ଜାରି ରହିବା ସ୍ପଷ୍ଟ ହୋଇଛି। ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ନିର୍ଦ୍ଦିଷ୍ଟ ଅଭିଯୋଗର ତଦନ୍ତ ପାଇଁ ଆସିଥିବା ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ଅସିତ ମହାନ୍ତିଙ୍କୁ ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ସାକ୍ଷାତ କରି ସେମାନଙ୍କ ଦାବି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଦଳର ଦାବିକୁ ସେ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟପକ୍ଷରେ ଅନଶନର ପ୍ରଥମ ସଂନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ଅନଶନ କାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ବିଫଳ ରହିଥିଲା। ତେବେ ଆଗାମୀ ଦିନରେ ଏହି ଅନିର୍ଦ୍ଦିଷ୍ଟ ଅନଶନକୁ ପ୍ରଶାସନ କିଭଲି ପ୍ରତ୍ୟାହାର କରାଇବା ପାଇଁ ଉଦ୍ୟମ କରିବ ସେନେଇ ନାନା ମତ ପ୍ରକାଶ ପାଉଥିବା ବେଳେ ଅନଶନକାରୀ ଙ୍କ କୌଣସି କ୍ଷତି ଘଟିଲେ ଜିଲ୍ଲାପ୍ରଶାସନ ଦାୟି ରହିବ ବୋଲି ଅନଶନରେ ଥିବା କଂଗ୍ରେସ ଜିଲ୍ଲା ସଭାପତି ଉମା ଶଙ୍କର ସାହୁ ପ୍ରକାଶ କରିଥିଲେ।