ରାହୁଲଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀଙ୍କ ‘ଅଭଦ୍ର’ ମନ୍ତବ୍ୟକୁ ନେଇ କଂଗ୍ରେସ୍ ଖପ୍ପା

ମୁମ୍ବାଇ,ଏନ୍ଏନ୍ଏସ୍: ଜାଲନା ସାଂସଦ ତଥା କେନ୍ଦ୍ର ରେଳବାଇ ତଥା କୋଇଲା ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ଦାନବେ ରାହୁଲଙ୍କ ପ୍ରତି ଦେଇଥିବା ‘ଅଭଦ୍ର’ ମନ୍ତବ୍ୟ କଂଗ୍ରେସରେ ଅସନ୍ତୋଷ ସୃଷ୍ଟି କରିଛି। ଏଭଳି ବ୍ୟକ୍ତିକୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଲାଗି କଂଗ୍ରେସ ଦାବି କରିଛି। ପ୍ରସଙ୍ଗରେ ଦାନବେ ସ୍ପଷ୍ଟିକରଣ ଦେଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ମୂଳକ କାର୍ଯ୍ୟକୁ ବୁଝାଇବାକୁ ଯାଇ କୃଷି କ୍ଷେତ୍ରରେ ଉଦାହରଣ ଦେଇଥିବା କହିଛନ୍ତି। ସେହିପରି କଂଗ୍ରେସ ନିଜର ବିଫଳତାକୁ ଲୁଚାଇବା ଲାଗି ତାଙ୍କ ବାକ୍ୟକୁ ଅପଶବ୍ଦ କରି ଉପସ୍ଥାପନ କରିଥିବା ସେ ଅଭିଯୋଗ କରିଛନ୍ତି।

ଦାନବେ ମହାରାଷ୍ଟ୍ରର ଜାଲନା ଜିଲ୍ଲାରେ ’ଜନ ଆଶିର୍ବାଦ ଯାତ୍ରା’ କାଳରେ ଜନସମାବେଶକୁ ସମ୍ବୋଧିତ କରି କଂଗ୍ରେସ ସାଂସଦ ତଥା ପୂର୍ବତନ ଏଆଇସିସି ସଭାପତିଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥିଲେ। ମରାଠୀ ଭାଷଣରେ ଦାନବେ ରାହୁଲ ଗାନ୍ଧୀ କୌଣସି କାମକୁ ନୁହନ୍ତି ବୋଲି କହିଥିଲେ। ସେ ଠାକୁରଙ୍କୁ ସମର୍ପିତ ସଣ୍ଢ ଭଳି ଏଣେତେଣେ ବୁଲୁଛନ୍ତି ହେଲେ କାହାର କିଛି କାମରେ ଆସୁ ନଥିବା ସେ ସେ ସ୍ଥାନୀୟ ଭାଷାରେ ବ୍ୟାଖ୍ୟା କରିଦେଇଥିଲେ। ଯାହା ସମ୍ପାଦିତ ହୋଇ ପ୍ରକାଶିତ ହେବା ପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କୁ ତାଙ୍କର ଭାଷା ଶୈଳୀ ନେଇ ହେଜ କରିଦେଇଛି।

ରାଷ୍ଟ୍ରମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ପ୍ରଦେଶ କଂଗ୍ରେସ ପ୍ରମୁଖ ନାନା ପୋଟଲେ ଦାନବେଙ୍କ ଇସ୍ତଫା ଦାବି କରିଛନ୍ତି। ଦାନବେ ସମସ୍ତ ସୀମା ପାର କରିସାରିଥିବା ପୋଟଲେ କହିଛନ୍ତି। ତାଙ୍କର ବକ୍ତବ୍ୟ ନା କେବଳ ଅଶୋଭନୀୟ ଆଶ୍ଚର୍ଯ୍ୟଜନକ ବୋଲି ପୋଟଲେ କହିଛନ୍ତି। ଭରା ଜନସଭାରେ କଥିତ ଭାଷାରେ ରାହୁଲଙ୍କ ପ୍ରତି ଏପରି ଅଶାଳୀନ ମନ୍ତବ୍ୟ ବାସ୍ତବିକ ଦୁର୍ଭାଗ୍ୟଜନକ। ଅଶାଳୀନ ଭାଷା ପ୍ରୟୋଗ ନେଇ ତାଙ୍କର ଟ୍ରାକ ରେକର୍ଡ ରହିଛି। ଏପରି ଅଭଦ୍ର ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରୀମଣ୍ଡଳରେ କିପରି ସ୍ଥାନ ଦେଲେ ସେ ନେଇ ପୋଟଲେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି।