ଜୁଆ ଆଡ୍ଡା ଚିହ୍ନଟ ପରେ ସିଲ୍ ହେଲା ବାର, ପେଣ୍ଟାଗନରେ ନୋଟିସ ଲଗାଇଲା ବିଏମସି

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜଧାନୀରେ ଚାଲିଥିବା ହାଇପ୍ରୋଫାଇଲ ଜୁଆ ଆଡ୍ଡାରେ ରେଡ ହେବା ପରେ ବାର ଓ ପେଣ୍ଟାଗନ ହୋଟେଲରେ ତାଲା ପକାଇଛି ବିଏମସି। ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ ହୋଇଛି ପେଣ୍ଟାଗନ ବାର।

ପ୍ରକାଶ ଥାଉ କି ଗତକାଲି,କଟକ-ଭୁବନେଶ୍ବର ରୋଡର ଏକ ହୋଟେଲରେ ଚାଲିଥିଲା ହାଇ ପ୍ରୋଫାଇଲର ଜୁଆ ଆଡ୍ଡା ଉପରେ ଅଚାନକ ରେଡ ହୋଇଥିଲା। ୩ ଯୁବତୀଙ୍କ ସମେତ ୧୩ ଜଣଙ୍କୁ ଅଟକ ରଖି ଜୁଆ ଆଡ୍ଡା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଥିଲା ପୁଲିସ।

ହୋଇଥିବା ଚଢାଉରେ ପୁଲିସ ୨ ଲକ୍ଷ ୫୩ ହଜାର ଟଙ୍କା ସହ ତାସ ପତା ଓ ୧୨ରୁ ଅଧିକ ମୋବାଇଲ ଫୋନ ଜବତ କରିଥିଲା। ୩ ଜଣ ଯୁବତୀଙ୍କ ସହିତ ୧୦ ଜଣ ଯୁବକଙ୍କୁ ଗିରଫ କରିଛି ପୁଲିସ। ସାପ୍ତାହିକ ସଟଡାଉନ ବଳବତ୍ତର ରହିଥିବା ବେଳେ ଏହାକୁ ବେଖାତିର କରି ବାର ଖୋଲିଥିଲେ ବାର କର୍ତ୍ତୃପକ୍ଷ। ବାରରେ ଚଢାଉ କରାଯିବା ପରେ ବିଏମସି ଅଧିକାରି ପୁଲିସ ପହଞ୍ଚି ବାରରେ ତାଲା ପକାଇବା ସହିତ ନୋଟିସ ଲଗାଇଛନ୍ତି।