ଶ୍ରୀଲଙ୍କା ମୁଖ୍ୟ କୋଚ୍ ମ୍ୟାକ୍‌ଡୋନାଲ୍ଡଙ୍କୁ କୋଭିଡ୍

ମେଲ୍‌ବର୍ଣ୍ଣ,ଏଜେନ୍ସି: ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆ କ୍ରିିକେଟ୍ ଟିମ୍‌କୁ ଶକ୍ତ ଧକ୍କା ଲାଗିଛି। ଗସ୍ତର ଠିକ୍ ସପ୍ତାହେ ପୂର୍ବରୁ ଟିମ୍‌ର ମୁଖ୍ୟ କୋଚ୍ ଆଣ୍ଡ୍ର‌୍ୟୁ ମ୍ୟାକ୍‌ଡୋନାଲ୍ଡ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ସୂଚନା ଦେଇଛି। ପୋଷ୍ଟ୍‌ରେ ଲେଖାଯାଇଛି, ପଜିଟିଭ୍ ହେବା କାରଣରୁ ମ୍ୟାକ୍‌ଡୋନାଲ୍ଡ ନିର୍ଦ୍ଧାରିତ ସମୟରେ ଶ୍ରୀଲଙ୍କା ଯାତ୍ରା କରିପାରି ନାହାନ୍ତି ଏବଂ ସାତ ଦିନର ଆଇସୋଲେସନ୍‌ରେ ଅଛନ୍ତି। ତାଙ୍କ ଅନୁପସ୍ଥିତିରେ ମିଚେଲ୍ ଡି ଭେଣ୍ଟୋଙ୍କୁ ଟିମ୍‌ର ମୁଖ୍ୟ କୋଚ୍ ନିଯୁକ୍ତ କରାଯାଇଛି। ମ୍ୟାକ୍‌ଡୋନାଲ୍ଡ ଜୁନ୍ ୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ବେଳକୁ ଟିମ୍ ସହ ଯୋଗ ଦେଇପାରନ୍ତି। ଗସ୍ତ ପାଇଁ ସ୍ପିନ୍‌ କୋଚ୍ ଏସ୍ ଶ୍ରୀରାମ ଏବଂ କ୍ଲେଣ୍ଟ ମାକୟଙ୍କୁ ମଧ୍ୟ ବ୍ୟାକ୍ ଅଫିସ୍‌ରେ ରଖାଯାଇଛି।

ବର୍ଷ ଆରମ୍ଭରେ ଜଷ୍ଟିନ୍ ଲାଙ୍ଗର୍‌ଙ୍କ ସ୍ଥାନ ନେଇଥିବା ମ୍ୟାକ୍‌ଡୋନାଲ୍ଡଙ୍କର ଏହା ପ୍ରଥମ ଗସ୍ତ ହେବ। ଏହି ସିରିଜ୍ ପରେ ନବନିଯୁକ୍ତ କୋଚ୍ ଡାନିଏଲ୍ ଭିଟ୍ଟୋରୀ ଓ ବୋରେୱେକ୍ ଟେଷ୍ଟ୍ ସିରିଜ୍‌ରେ ମ୍ୟାକ୍‌ଡୋନାଲ୍ଡ ସହ କାମ କରିବେ। କଙ୍ଗାରୁ ଟିମ୍ ଶ୍ରୀଲଙ୍କାରେ ଜୁନ୍ ୭ ଓ ୮ ତାରିଖରେ ଯଥାକ୍ରମେ କଲମ୍ବୋ ଏବଂ ପାଲ୍ଲେକଲ୍‌ରେ ଦୁଇଟି ଟି-୨୦ ମ୍ୟାଚ୍ ଖେଳିବେ। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ପ୍ରାରମ୍ଭରେ ପାକିସ୍ତାନ ଗସ୍ତ ଅବସରରେ ଅଷ୍ଟ୍ରେଲିଆ ଟିମ୍‌ର ତିନିଜଣ ଖେଳାଳି ଆଷ୍ଟନ୍ ଆଗର୍‌, ଜୋଶ୍ ଇନିଙ୍ଗ୍‌ଲ୍ ଏବଂ ପିଭି ୱିଲିସନ୍ ମଧ୍ୟ କୋଭିଡ୍ ସଂକ୍ରମିତ ହୋଇଥିଲେ।