ରୌପ୍ୟ ପଦକ ଜିତିଲେ ସୁନାପୁଅ ନୀରଜ, ଛୁଟିଲା ଶୁଭେଚ୍ଛା ସୁଅ

ନୂଆଦିଲ୍ଲୀ,ଏଜେନ୍ସି: ଇତିହାସ ରଚିଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା । ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ରୌପ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି ଟୋକିଓ ଅଲମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରା । ଏହାପରେ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଓ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ନୀରଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆମର ଅନ୍ୟତମ ବିଶିଷ୍ଟ ଆଥଲେଟଙ୍କ ଦ୍ବାରା ଏହା ଆଉ ଏକ ବଡ଼ ସଫଳତା । ନୀରଜଙ୍କ ସଫଳତା ପାଇଁ ଅନେକ ଅନେକ ଅଭିନନ୍ଦନ । ବିଶ୍ବ ଚାମ୍ପିଅନସିପରେ ଐତିହାସିକ ରୌପ୍ୟ ପଦକ ଜିତିବା ଭାରତୀୟ କ୍ରୀଡା ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ ।’ ନୀରଜଙ୍କ ଆଗାମୀ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନୀରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ଲେଖିଛନ୍ତି, ‘ବିଶ୍ବ ଆଥଲେଟିକ୍ସ ଚାମ୍ପିଆନସିପରେ ଦେଶ ପାଇଁ ସର୍ବପ୍ରଥମ ସିଲଭର ପଦକ ଜିତିବା ନେଇ ନୀରଜଙ୍କୁ ଅନେକ ଅନେକ ଶୁଭେଚ୍ଛା । ଦେଶ ପାଇଁ ଇତିହାସ ସୃଷ୍ଟି କରୁଛନ୍ତି ଏବଂ ତୁମର ଚମତ୍କାର ସଫଳତା ନୂତନ ପିଢିକୁ ପ୍ରେରଣା ଦେଉଛି ।’ ଭବିଷ୍ୟତ ସବୁବେଳେ ଉଜ୍ବଳମୟ ହେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

ସେହିପରି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ନୀରଜଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ‘ନୀରଜଙ୍କ ସଫଳତା ଜାରି ରହିଛି । ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ପ୍ରଥମ ପୁରୁଷ ଓ ଦ୍ବିତୀୟ ଭାରତୀୟ ଭାବେ ପଦକ ଜିତିଥିବାରୁ ଅନେକ ଅନେକ ଶୁଭେଚ୍ଛା । ଆଗକୁ ନୀରଜ ପ୍ରତି ଇଭେଣ୍ଟରେ ସ୍ବର୍ଣ୍ଣ ଜିତିବେ’ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ନୀରଜଙ୍କ ସଫଳା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ‘ବିଶ୍ବ ଆଥଲେଟିକ୍ସ ଚାମ୍ପିଆନସିପରେ ଦେଶ ପାଇଁ ପଦକ ଜିତିଥିବାରୁ ନୀରଜଙ୍କୁ ଅନେକ ଅନେକ ଶୁଭେଚ୍ଛା । ତାଙ୍କର କଠିନ ପରିଶ୍ରମ, ଏବଂ ନିଷ୍ଠା ଉଲ୍ଲେଖନୀୟ ଫଳାଫଳ ଦେଇଛି ।’ ଆମେ ତାଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ସେହିପରି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ନୀରଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓରେଗନ୍‌ରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଆନସିପରେ ରୌପ୍ୟ ପଦକ ଜିତି ନୀରଜ ଚୋପ୍ରା ପୁଣି ଇତିହାସ ସୃଷ୍ଟି କରିଛନ୍ତି । 2003ରେ ଲଙ୍ଗ ଜମ୍ପରେ ଅଞ୍ଜୁ ବବି ଜର୍ଜଙ୍କ ବ୍ରୋଞ୍ଜ ପରେ ସେ ବିଶ୍ୱ ଚାମ୍ପିଆନସିପରେ ପଦକ ଜିତିଥିବା ପ୍ରଥମ ବ୍ୟକ୍ତି ଏବଂ ଦ୍ୱିତୀୟ ଭାରତୀୟ ହୋଇଛନ୍ତି ।