ମାଓଗଡ଼ରେ ମତଦାନ ଭିତରେ ଆସିଛି ଅବ୍ୟବସ୍ଥାର ଅଭିଯୋଗ

ଖପ୍ରାଖୋଲ,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତର ଆମବାହାଲି ଗାଁରେ ଚଳିତ ପଞ୍ଚାୟତ ନିର୍ବାଚନରେ ମତଦାନ କେନ୍ଦ୍ର ହୋଇନଥିବାରୁ ଗାଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପରେ ବ୍ଲକ ପ୍ରଶାସନ ଏକ ବସ ଯୋଗେ ଲୋକଙ୍କୁ ଆଣି ମତଦାନ କେନ୍ଦ୍ରରେ ପହଞ୍ଚାଇଛନ୍ତି । ଆଉ କିଛି ଲୋକ ୪କିମି ଚାଲି ଚାଲି ଆସି ମତଦାନ କେନ୍ଦ୍ରରେ ଭୋଟ୍ ଦେବା ପାଇଁ ପହଞ୍ଚିଛନ୍ତି । ତେବେ ଗାଁର ଗର୍ଭବତୀ ମହିଳା ଓ ରୋଗୀଣା ବ୍ୟକ୍ତି ଭୋଟ୍ ଦେବାରୁ ବଞ୍ଚିତ ହୋଇଛନ୍ତି । ପୂର୍ବରୁ ଆମବାହାଲି ଗାଁରେ ମତଦାନ କେନ୍ଦ୍ର ହେଉଥିବା ବେଳେ ଏଥର ପ୍ରଶାସନ ମାଓପ୍ରବଣ ଅଞ୍ଚଳ ଆଳ ଦେଖାଇ ମତଦାନ କେନ୍ଦ୍ର ନ କରିବାରୁ ଗାଁ ଲୋକ ଅସନ୍ତୋଷ ପ୍ରକାଶ କରି ପ୍ରଶାସନିକ ଚରମ ଅବହେଳା ବୋଲି ଅଭିଯୋଗ କରିଛନ୍ତି । ଏଥିସହିତ ଭୋଟ ବର୍ଜନ କରିବାକୁ ଧମକ ଦେବାରୁ ବାଧ୍ୟହୋଇ ବ୍ଲକ ପ୍ରଶାସନ ଗାଁ ଲୋକଙ୍କୁ ରେଙ୍ଗାଲି ବୁଥକୁ ବସରେ ଆଣି ଭୋଟ ଦେଇଥିଲେ ।