ବନ୍ୟା ଜଳରେ ବାଦୀପଡା-ସଇଁନ୍ତଲା ବ୍ଲକର ଅନେକ ଗାଁ’କୁ ଯୋଗାଯୋଗ ବିଚ୍ଛିନ୍ନ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ବାଦୀପଡା-ସଇଁନ୍ତଲା ବ୍ଲକକୁ ସଂଯୋଗ କରୁଥିବା ନଦୀ ଏବେ ପ୍ରାୟ ୧୦ ଫୁଟ ବନ୍ୟା ଜଳ ପ୍ରଭାବିତ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ୪ଟି ପଞ୍ଚାୟତର ଲୋକେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ଦେଖିବାକୁ ମିଳିଛି। ଗତ ୨୦୧୫ ମସିହାରେ ବାଦୀପଡା ବ୍ରିଜ ଅଧପନ୍ତରିଆ ଭାବେ ପଡିଥିବା ଯୋଗୁଁ ଏବେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ରାତିରେ ପ୍ରବଳ ବର୍ଷା ଯୋଗୁଁ ବ୍ଲକର ଘୁନସର, ଆମ୍ବପାଲି, ଶିଷକେଲା, ବେଳଗାଁ, କଅସର ଭଳି ଅନେକ ଜମିରେ ଜଳମଗ୍ନ ହୋଇଥିବା ଅନେକ ଚାଷୀଙ୍କ ଗଜା ଧାନ ଉପରେ ପ୍ରଭାବ ପଡ଼ିଛି ଏବଂ ଚାଷୀ ଚିନ୍ତାରେ ହତାସ ହୋଇଯାଇଛି।

ଅନ୍ୟପଟେ ଡେଙ୍ଗ-ବ୍ରାହ୍ମଣୀ ନାଳ ଉପରେ ପାଣି ମାଡି ଆସିବାରୁ ଯାତାୟାତ କିଛି ଘଣ୍ଟା ପର୍ଯ୍ୟନ୍ତ ଠପ୍‌ ହୋଇଯାଇଥିଲା। ସେହିପରି ଆଜି ସକାଳୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଜାତୀୟ ରାଜପଥ ୨୬ ବେଳଗାଁ-ବରାହମାଲ ନିକଟରେ ଏକ ବଡ଼ ତେନ୍ତୁଳି ଗଛ ଭାଙ୍ଗି ଯିବାରୁ ୩ ଘଣ୍ଟା ଧରି ଗାଡି ଚଳାଚଳ ଠପ ହୋଇ ପଡ଼ିଥିଲା। ଖବର ପାଇବା ପରେ ସ୍ଥାନୀୟ ଅଗ୍ନିଶମ ବାହୀନି ବିଭାଗ, ପ୍ରାକୃତିକ ବନ୍ଧୁ ବିକି ଜି ନାଗ ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗଛ ଗୁଡିକ ହଟାଯାଇଥିଲା। ଫଳରେ ଗାଡି ଚଳାଚଳ ସ୍ବାଭାବିକ ଭାବରେ ହୋଇଥିଲା। କିଛି ସମୟ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ମଧ୍ୟ ଫସି ରହିଥିଲା। ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଅନେକ ଚାଷୀଙ୍କ କ୍ଷୟକ୍ଷତି ହୋଇଥିବା ବେଳେ ତାହାର ତଦନ୍ତ କରି କ୍ଷତିପୂରଣ ସହାୟତା ଯୋଗାଇଦେବାକୁ ଚାଷୀ ମହଲରେ ଦାବି ହେଉଛି।