ରାଜ୍ୟଗୋଷ୍ଠୀ କ୍ରୀଡ଼ା: ରବି-ବିନେଶ-ନବୀନ ସ୍ୱର୍ଣ୍ଣ ପଦକ ଆଣିଲେ, ଭାରତର ପଦକ ସଂଖ୍ୟା ୪୦କୁ ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି । ଏହି କ୍ରୀଡ଼ାର ୯ମ ଦିନରେ ଶନିବାର କୁସ୍ତିରେ ଭାରତକୁ ଖେଳାଳି କୀର୍ତ୍ତିମାନ ସାଜିଛନ୍ତି । ରବି କୁମାର ଦହିୟା, ବିନେଶ ଫୋଗାଟ ଓ ନବୀନ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ଏହା ପୂର୍ବରୁ ଶୁକ୍ରବାର ବଜରଂଗ ପୁନିଆ, ସାକ୍ଷୀ ମଲିକ ଓ ଦୀପକ ପୁନିଆ କୁସ୍ତିରେ ସ୍ୱର୍ଣ୍ଣ ପଦକ ଆଣିଥିଲେ । ଅର୍ଥାତ କୁସ୍ତିରେ ମୋଟ ୬ଟି ସ୍ୱର୍ଣ୍ଣ ପଦକ ଭାରତକୁ ଆସିଛି । କୁସ୍ତି ବ୍ୟତୀତ ଅନ୍ୟ କ୍ରୀଡ଼ାରେ ମଧ୍ୟ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି । ପାରା ଟେବୁଲ ଟେନିସରେ ଭାବିନା ପଟେଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ସୂଚନାଯୋଗ୍ୟ, ଭାରତକୁ ଏପର୍ଯ୍ୟନ୍ତ ମୋଟ ୪୦ଟି ପଦକ ଆସିସାରିଛି । ଏଥିରେ ୧୩ଟି ସ୍ୱର୍ଣ୍ଣ ପଦକ ଥିବା ବେଳେ ୧୧ଟି ରୌପ୍ୟ ପଦକ ଓ ୧୬ଟି କାଂସ୍ୟ ପଦକ ଭାରତର କ୍ରୀଡ଼ାବିତ୍‌ମାନେ ଆଣିସାରିଛନ୍ତି । ସେହିପରି ମେଡାଲ ତାଲିକାରେ ଭାରତର ସ୍ଥାନ ୫ମରେ ରହିଛି । ଅଷ୍ଟ୍ରେଲିଆ ୫୯ଟି ସ୍ୱର୍ଣ୍ଣ ସହିତ ୧୫୫ଟି ପଦକ ହାସଲ କରି ପ୍ରଥମ ସ୍ଥାନରେ ରହିଛି । ଇଂଲଣ୍ଡ ମୋଟ ୧୪୮ଟି ପଦକ ସହ ୨ୟ, କାନାଡା ୮୪ ପଦକ ସହ ୩ୟ ଓ ନ୍ୟୁଜିଲାଣ୍ଡ ମୋଟ ୪୪ଟି ପଦକ ସହ ୪ର୍ଥ ସ୍ଥାନରେ ରହିଛି । ପାକିସ୍ତାନର ସ୍ଥାନ ୧୭ରେ ରହିଛି । ପାକିସ୍ତାନ ଏପର୍ଯ୍ୟନ୍ତ ଗୋଟିଏ ସ୍ୱର୍ଣ୍ଣ ସହିତ ମୋଟ ୭ଟି ପଦକ ଆଣିପାରିଛି ।