ଆସନ୍ତା ମାସରେ ୩ଟି ୟୁରୋପୀୟ ଦେଶ ଗସ୍ତ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ପ୍ରଥମ ସପ୍ତାହରେ ୩ଟି ୟୁରୋପୀୟ ଦେଶ ଗସ୍ତ କରିବେ । ୨୦୨୨ର ପ୍ରଥମ ବିଦେଶ ଯାତ୍ରାରେ ମୋଦୀ ଜର୍ମାନୀ, ଡେନମାର୍କ ଓ ଫ୍ରାନ୍ସ ଗସ୍ତ କରିବେ ବୋଲି ଜଣାପଡ଼ିଛି । ମୋଦୀଙ୍କ ଏହି ୟୁରୋପୀୟ ଯାତ୍ରା ପଛରେ ଦ୍ୱିପାକ୍ଷିକ ସମ୍ପର୍କଠୁ ଆରମ୍ଭ କରି କ୍ଷେତ୍ରୀୟ ସମୀକରଣ ଓ ବ୍ୟାପାର-ନିବେଶ ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗ ରହିଥିବା ଜଣାପଡ଼ିଛି ।

କୂଟନୀତିକ ସୂତ୍ର ଅନୁସାରେ, ୟୁରୋପ ଓ ଭାରତ ପରସ୍ପରର ବିଶେଷତା ଜାଣିଛନ୍ତି । ଭାରତ ପାଇଁ ୟୁରୋପୀୟ ସଂଘ ତୃତୀୟ ସବୁଠୁ ବଡ଼ ବାଣିଜ୍ୟିକ ସହଯୋଗୀ । ଅନ୍ୟପଟେ ୟୁରୋପ ପାଇଁ ଭାରତ ମଧ୍ୟ ଏକ ବଡ଼ ବଜାର ସହ ଯୋଗାଣ ଚେନକୁ ସୁଦୃଢ଼ କରିବା କେନ୍ଦ୍ର । ଭାରତ ଓ ୟୁରୋପ ମଧ୍ୟରେ ଗତ ବର୍ଷ ହିଁ ବ୍ୟାପକ ବାଣିଜ୍ୟ ଚୁକ୍ତିକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।