ବଲାଙ୍ଗିର, ସଇଁନ୍ତଳା,ଏନ୍ଏନ୍ଏସ୍: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମରାଯାଉଥିବା ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଙ୍ଗଲ ଭିତରକୁ ଟେକି ନେଇ ଜଣେ ଛାତ୍ରଙ୍କୁ ମାଡ଼ ମରାଯାଉଥିବାର ୬ ମିନିଟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଆକ୍ରମଣ କରୁଥିବା ଯୁବକଙ୍କ ମଧ୍ୟରେ ଯୁକ୍ତ ୨ ଦ୍ୱିତୀୟ ବର୍ଷର କେତେକ ଛାତ୍ର ରହିଥିବା ବେଳେ ପ୍ରାୟ ୪ଜଣ ଅଣଛାତ୍ର ରହିଛନ୍ତି । କୌଣସି ଏକ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ସେମାନେ ସମ୍ପୃକ୍ତ ଯୁବକଙ୍କୁ ମାଡ଼ ମାରିବାସହ ଗୋଡ଼ ଧରିବା ପାଇଁ ବାଧ୍ୟ କରିଛନ୍ତି । ଭିଡିଓଟି ଗତ ୫ତାରିଖର ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, କୌଣସି ଏକ ଘଟଣାକୁ ନେଇ ସ୍ଥାନୀୟ ହାତୀସାଲପଡ଼ାଠାରେ ଯୁକ୍ତ୨ ପ୍ରଥମବର୍ଷର ଛାତ୍ର ବିହାନ ଅଗୱାଲ ମାଡ଼ ମାରିଥିବା ଛାତ୍ରମାନଙ୍କ ସହ ଗଣ୍ଡଗାଳ କରିଥିଲେ। ଏହାପରେ ମାଡ଼ ଖାଇଥିବା ଛାତ୍ର ଗୋଷ୍ଠୀ ପ୍ରତିଶୋଧ ପରାୟଣ ହୋଇ ବିହାନଙ୍କୁ ଖୋଜୁଥିଲେ । ଗତ ୫ତାରିଖରେ ମାଡ଼ ଖାଇଥିବା ଛାତ୍ର ଗୋଷ୍ଠୀ କେତେକ ଅଣଛାତ୍ରଙ୍କ ସହ ବିହାନଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରୁ ଜୋରଜବରଦସ୍ତ ଉଠାଇ ବିଶ୍ୱବିଦ୍ୟାଳୟ ପଛପଟେ ଥିବା ଜଙ୍ଗଲକୁ ନେଇଯାଇଥିଲେ । ପରେ ଏକ ଗଛ ତଳେ ବିହାନଙ୍କୁ ରଖି ପ୍ରବଳ ମାଡ଼ ମାରିଥିଲେ । ତେବେ ମାଡ ଖାଉଥିବା ଛାତ୍ରଜଣକ ଏକାକି ଥିବାବେଳେ ମାଡ ମାରିଥିବା ଗୋଷ୍ଠୀର ସଂଖ୍ୟା ୮ରୁ ୧୦ଜଣ ଥିବା ଭିଡିଓରେ ଜଣାପଡୁଛି । ସେମାନଙ୍କ ଭିତରୁ ୩ରୁ ୪ଜଣ ଅଣଛାତ୍ର ରହିଛନ୍ତି । ଏହି ଘଟଣାକୁ ନେଇ ଟାଉନ ଥାନାରେ କୌଣସି ଅଭିଯାଗ ହୋଇନଥିବା ବେଳେ ଭାଇରାଲ ଭିଡିଓକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରଥିବା ଜଣାପଡିଛି ।