ଭୁବନେଶ୍ୱର: କରୋନା ସଂକ୍ରମଣ ରାଜ୍ୟରେ ହୁ-ହୁ ହୋଇ ବୃଦ୍ଧି ପାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ମାସ୍କ ପିନ୍ଧିବା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ୧୪ ଦିନ ଯାଏ ମାସ୍କ ଅଭିଯାନ କରାଯିବ। ବିନା ମାସ୍କରେ କେହି ଘରୁ ବାହାରନ୍ତୁ ନାହିଁ। ଏଥିସହିତ ମାସ୍କ ନ ପିନ୍ଧିଲେ ୨ ଗୁଣା ଜୋରିମାନା ଆଦାୟ କରାଯିବ। ଏବେ କୋଭିଡର ଦ୍ୱିତୀୟ ଲହରୀ ବ୍ୟାପୁଛି। ତେଣୁ ଆମକୁ ସତର୍କତା ତଥା ସଚେତନତା ରକ୍ଷା କରିବାକୁ ପଡିବ। ତେବେ କରୋନାକୁ ପ୍ରତିହତ କରିବାକୁ ହେଲେ ମାସ୍କ ପରିଧାନ କରିବାକୁ ପଡିବ। ମାସ୍କକୁ ବେକରେ ଝୁଲାଇବାକୁ ନୁହେଁ ବରଂ ମୁହଁରେ ଠିକ୍ ଭାବେ ଲଗାଇବାକୁ ପଡିବ। କାରଣ ମାସ୍କ ହେଉଛି ଏକାମାତ୍ର ଗୁରୁତ୍ୱପୁର୍ଣ୍ଣ ସୁରକ୍ଷା କବଚ। ତେଣୁ ଆମେ ନିଜେ କୋଭିଡ୍ ନିୟମ ମାନିଲେ କରୋନାକୁ ରୋକି ପାରିବା। ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଆରମ୍ଭ ହେଲାଣି। ଆମେ କୋଭିଡ଼ ନିୟମ ମାନିଲେ କରୋନା ସଂକ୍ରମଣ ରୋକିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜିଠାରୁ ସଂକଳ୍ପ ନେଇ ଆମେ ସମସ୍ତେ ମାସ୍କ ପିନ୍ଧିବା। ସଠିକ ଭାବେ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।