କିରୋସିନ ଢାଳି ହୋଇ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ଦେବଗଡ଼,ଏନ୍ଏନ୍ଏସ୍: ଏକ ଅଭାବନୀୟ ଘଟଣା କ୍ରମରେ ଆଜି ଜଣେ କଲେଜ ଛାତ୍ରୀ ଘରେ ନିଜ ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗାଳବେଡା ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ଝିଅ ଦେବଗଡ଼ ପୌରାଞ୍ଚଳ ଓଲଟବଟ ନିକଟସ୍ଥ ଏକ ଭଡାଘରେ ରହି ଦେବଗଡ଼ ମଡେଲ ଡିଗ୍ରୀ କଲେଜରେ ଯୁକ୍ତ ୩ ଶେଷ ବର୍ଷ ପାଠ ପଢୁଥିଲେ।

କୌଣସି କାରଣରୁ ଆଜି ଦିନ ପ୍ରାୟ ୧ଟା ସମୟରେ ରହୁଥିବା ଭଡା ଘର କୋଠରିରୁ ବାହରି ବାଡି ପଟେ ଥିବା କୂଅ ନିକଟକୁ ଆସି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ। ନିଆଁରେ ପୋଡି ଛାତ୍ରୀ ଜଣକ ଚିତ୍କାର କରିବା ସମୟରେ ଉକ୍ତ ଘରେ ରହୁଥିବା ତାଙ୍କ ଅନ୍ୟ ୨ ଭଉଣୀ ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।

ସୂଚନା ପାଇଁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନ ପକ୍ଷରୁ ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଡାକ୍ତରଖାନରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।