ଦେବଗଡ଼,ଏନ୍ଏନ୍ଏସ୍: ବାରୋକଟ ବ୍ଲକ୍ ରାଇତାବାହାଲ ପଞ୍ଚାୟତ ଠାରେ ଆଜି ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗଦେଇ ପଞ୍ଚାୟତରେ ଆସିଥିବା ୪୩ଟି ଅଭିଯୋଗ ଶୁଣାଣି କରି ଏହା ଉପରେ ଆବଶକ୍ୟ ପଦକ୍ଷେପ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିରରେ ୨୩ଟି ବ୍ୟକ୍ତିଗତ ସମସ୍ୟା ଓ ୨୦ଟି ସାମୁହିକ ସମସ୍ୟା ରହିଥିଲା। ଅଭିଯୋଗ ଶିବିରରେ ଜମିବାଡ଼ି ପଟ୍ଟା, ବାର୍ଦ୍ଧକ୍ୟ ଭତ୍ତା, ରେଙ୍ଗାଲି ଜଳ ଭଣ୍ଡାର ପାଣିରେ ବୁଡିଯାଉଥିବା ଜମିବାଡି ବାଦକୁ କ୍ଷୟକ୍ଷତି, ୦.୪ ଡ଼ିସମିଲ ଘରବାରି ପଟ୍ଟା, ନୂତନ ଏଏନ୍ଏମ୍ ସେଣ୍ଟର ସ୍ଥାପନ, ବନ୍ଦ ହୋଇଥିବା ସ୍କୁଲ ଗୁଡିକୁ ପୁନର୍ବାର ଖୋଲାଯିବା ପାଇଁ ଜନସାଧାରଣ ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଅଭିଯୋଗ ଗୁଡ଼ିକ ଶୁଣିବା ପରେ ଏଗୁଡ଼ିକ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏବଂ ଶିବିରରେ ୫ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଥିଲା। ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାଜକିଶୋର ପାଇକରାୟ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକ ଲୁକାସ ପ୍ରଧାନ, ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।