ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲାର ବିଭିନ୍ନ ବ୍ଲକକୁ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅନୁଧ୍ୟାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଶ୍ରୀ ବେହେରା ବିଷମ କଟକ ବ୍ଲକର ନାନୀରଗୁଡ଼ା ଗ୍ରାମର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓ ଛାତ୍ରାବାସ ପରିଦର୍ଶନ କରିଥିଲେ। ଏଥିରେ ଗୁଣପୁର ପ୍ରକଳ୍ପ ନିର୍ଦ୍ଦେଶକ ଗୋରଚାନ୍ଦ ଗମାଙ୍ଗ ଉପସ୍ଥିତ ଥିଲେ।
ପରେ ଝିଗିଡି ପଞ୍ଚାୟତ ଅନ୍ତର୍ଗତ ଉର୍ଲାଜଡି ଗ୍ରାମରେ ମନରେଗା ଯୋଜନାରେ ଚାଲୁରହିଥିବା ପୋଖରୀ ଖନନ ଓ କେନାଲ ନିର୍ମାଣ କାର୍ଯ୍ୟ ବୁଲିଦେଖିଥିଲେ। ଏହି ସମୟରେ ଶ୍ରମିକମାନେ ମଜୁରୀ ଠିକ୍ ସମୟରେ ପାଉଛନ୍ତି କି ନାହିଁ ପଚାରି ବୁଝିବା ସହିତ ବିଭିନ୍ନ ସାମାଜିକ ସହାୟତା ଯୋଜନା ଯଥା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ରାସନ କାର୍ଡରେ ଚାଉଳ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ। ଏହାପରେ ଜିଲ୍ଲାପାଳ ହାତମୁନିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବକ୍ସି ଶିରିପୁର ଗ୍ରାମରେ ମନରେଗା ଯୋଜନାରେ ଚାଲିଥିବା ପୋଖରୀ ଖନନ କାମ ଏବଂ କୁଟ୍ରାଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ହୁକୁମତୋଳା ମନରେଗା ଯୋଜନାରେ ଚାଲିଥିବା ପୋଖରୀ ଖନନ କାମ ପରିଦର୍ଶନ କରି ସେଠାରେ କାର୍ଯ୍ୟରତ ୬୫ ଜଣ ନିର୍ମାଣ ଶ୍ରମିକଙ୍କ ସହିତ ଆଲୋଚନା କରିଥିଲେ। ଏଥିସହ ମଜୁରି ଠିକ ସମୟରେ ପାଉଛନ୍ତି କି ନାହିଁ ସେ ବିଷୟରେ ପଚାରି ବୁଝିଥିଲେ ଓ ବିଡ଼ିଓ, ଯନ୍ତ୍ରୀଙ୍କୁ ଠିକ ଭବରେ ମଜୁରି ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।
