କୋରାପୁଟ,ଏନ୍ଏନ୍ଏସ୍: ଦଶମନ୍ତପୁର ବ୍ଲକ୍ ମୁଜାଙ୍ଗ ପଞ୍ଚାୟତର ସରପଞ୍ଚ ରୈଲା ମାଝୀ କାର୍ଯ୍ୟାଦେଶ ଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମୁଜାଙ୍ଗ ପଞ୍ଚାୟତର ବକଡ଼ାଗୁଡ଼ା ଗ୍ରାମରେ ପୋଖରୀ ଖୋଳାଯିବା ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ରାଶି ଆସିଥିଲା। ସେହି ଗ୍ରାମର ଗଙ୍ଗାଧର ସାଉନ୍ତା ପୋଖରୀ ଖୋଳା କାମକୁ ନେବା ପରେ କାର୍ଯ୍ୟାଦେଶ ପାଇଁ ସରପଞ୍ଚ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ସରପଞ୍ଚଙ୍କ ବିରୋଧରେ ଗଙ୍ଗାଧର ଭିଜିଲାନ୍ସ ଏସପି କୋରାପୁଟ ଡିଭିଜନରେ ଅଭିଯୋଗ କରିଥିଲେ। ଭିଜିଲାନସ ଡିଏସପି ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ଇନ୍ସପେକ୍ଟର ଶିବ ରାମ ସାହୁ, ଇନ୍ସପେକ୍ଟର ସୂର୍ଯ୍ୟକାନ୍ତି ଟାକ୍ରୀ ଓ ଅନ୍ୟମାନଙ୍କୁ ନେଇ ସରପଞ୍ଚଙ୍କୁ ଧରିବାକୁ ଯୋଜନା କରିଥିଲା। ଆଜି ଅପରାହ୍ଣରେ ସରପଞ୍ଚ ରୈଲା ମାଝୀ ଦାମନଯୋଡି ନିକଟ ଭେଜାପୁଟ ସତସଙ୍ଗ ସ୍ଥିତ ଘରେ ଅଭିଯୋଗକାରୀ ଗଙ୍ଗାଧର ସାଉନ୍ତାଙ୍କଠାରୁ ୨୦ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଟିମ୍ ଗିରଫ କରି କୋର୍ଟ ଚାଲାଣ କରିଛି।