ସପ୍ତାହନ୍ତ ସଟଡାଉନରେ ଦୋକାନ ଖୋଲିବା ପାଇଁ ଅନୁମତି ଦେଲେ ଜିଲ୍ଲାପାଳ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଅଗଷ୍ଟ ୧୦ ଯାଏଁ ସପ୍ତାହନ୍ତ ସଟଡାଉନ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ ଜିଲ୍ଲାରେ ଶନିବାର ଓ ରବିବାର ସମସ୍ତ ଦୋକାନ ବଜାର ବନ୍ଦ ରହୁଥିଲା। ଏହାକୁ ବ୍ୟବସାୟୀ ପ୍ରତିଷ୍ଠାନ ପକ୍ଷରୁ ପ୍ରତିବାଦ କରାଯାଇ ଶନିବାର ଓ ରବିବାର ଦୋକାନ ଖୋଲା ରଖିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦାବି କରିଥିଲେ। ତେବେ ଏହାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଞ୍ଜୁରି ମିଳିଛି।

ଚଳିତ ମାସ ଇଦ, ରକ୍ଷା ବନ୍ଧନ, ଗଣେଶ ଚତୁର୍ଥ, ନୂଆଖାଇ, ଜନ୍ମାଷ୍ଟମୀ ପଡୁଥିବାରୁ ବ୍ୟବସାୟୀମାନେ ଏହି ସଟଡାଉନରେ ବ୍ୟାପକ କ୍ଷତି ସହୁଛନ୍ତି। ଫଳରେ ଆଜି ବ୍ୟବସାୟିକ ସଂଘ ପକ୍ଷରୁ ଶନିବାର, ରବିବାର ଦୋକାନ ଖୋଲିବାକୁ ପ୍ରଶାସନ ଅନୁମତି ପ୍ରଦାନ କରୁ ବୋଲି ଦାବି କରାଯାଇଥିଲା। ସଙ୍ଘ ପକ୍ଷରୁ କୁହାଯାଇଛି ଯେ, ଜୁଲାଇ ୩୧ ଯାଏ ସାପ୍ତାହିକ ସଟଡାଉନ ଘୋଷଣା କରାଯାଇଥିଲା। ଅଗଷ୍ଟରେ ସଟଡାଉନର କିଛି ସୂଚନା ନଥିବାରୁ ବ୍ୟବସାୟୀମାନେ ଇଦ ଓ ରକ୍ଷା ବନ୍ଧନ ପାଇଁ ମିଠା ତଥା ଅନ୍ୟ ସାମଗ୍ରୀ ବିକ୍ରି କରିବାର ଆଶା ରଖିଥିଲେ। ହେଲେ ହଠାତ ଶୁକ୍ରବାର ରାତିରେ ଜିଲ୍ଲା ସଟଡାଉନ ରହିବ, କେହି ଦୋକାନ ବଜାର ଖୋଲି ପାରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେବାରୁ ଲୋକେ ଇଦ ପାଇଁ ସାମଗ୍ରୀ କିଣି ପାରିନାହାନ୍ତି। ଏଥିସହ ବ୍ୟବସାୟୀମାନଙ୍କୁ ଏହି ସଟଡାଉନରେ ବହୁ କ୍ଷତି ସହିବାକୁ ପଡିବ।

ସେହିପରି ଆଗକୁ ଗଣେଶ ଚତୁର୍ଥୀ ଓ ନୁଆଖାଇ ପଡ଼ୁଛି। ତେଣୁ ଜିଲ୍ଲାରେ ସାପ୍ତାହିକ ସଟଡାଉନକୁ କୋହଳ କରି ଅପରାହ୍ଣ ୧ଟା ଯାଏଁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଉ ବୋଲି ବ୍ୟବସାୟୀ ସଙ୍ଘ ଦାବି କରିଥିଲା। ଏଥିସହିତ ଅନୁମତି ନ ଦେଲେ ମଧ୍ୟ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଦୋକାନ ଖୋଲିବାକୁ ବ୍ୟବସାୟୀ ସଙ୍ଘ କହିଥିଲେ। ପରେ ପ୍ରଶାସନ ପକ୍ଷରୁ ଯଦି ସେମାନଙ୍କୁ ଗିରଫ କରାଯାଏ ବା ଦୋକାନ ସିଲ କରାଯାଏ ତେବେ ଆଗାମୀ ଦିନରେ ପ୍ରଶାସନ ଯେଉଁ ଦିନ ଦୋକାନ ଖୋଲିବା ପାଇଁ କହିବ ସେ ଦିନ ସଙ୍ଘ ପକ୍ଷରୁ ଦୋକାନ ବନ୍ଦ କରାଯିବ ଏବଂ ଯେଉଁଦିନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବ ସେ ଦିନ ଖୋଲା ରଖାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା।

ତେବେ ପ୍ରଶାସନ ବ୍ୟବସାୟୀଙ୍କ କ୍ଷତିକୁ ଲକ୍ଷରେ ରଖି ସଟଡାଉନ ସମୟରେ ଦୋକାନ ଖୋଲା ରଖିବାକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହି ସଟଡାଉନ ଦିନମାନଙ୍କରେ ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ସେହିପରି ଆଜି ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ଏନେଇ ଜିଲ୍ଲାପାଳ ଶରତ କୁମାର ସାମଲ ସୂଚନା ଦେଇଛନ୍ତି।