କରୋନା ସ୍ଥିତି ନେଇ ଏନଜିଓ କର୍ମକର୍ତ୍ତା ଓ ସରପଞ୍ଚଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ କରେନା ସ୍ଥିତିକୁ ନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଭିଡିଓ କନଫରେନ୍ସିଂ ଜରିଆରେ ଏନଜିଓ କର୍ମକର୍ତ୍ତା ଓ ସରପଞ୍ଚଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କ ମତାମତ ଲୋଡ଼ିଛନ୍ତି। ବିଶେଷ କରି ରାପିଡ ଆଣ୍ଟିଜେନ ଟେଷ୍ଟକୁ ବୃଦ୍ଧି କରିବା ସହିତ ଲକ୍ଷଣ ବିହୀନ କରୋନା ପଜିଟିଭ ବ୍ୟକ୍ତି ହୋମ ଆଇସୋଲେସନରେ କିଭଳି ରହିବେ ସେନେଇ ଆଲୋଚନା ହୋଇଥିଲା। ଜିଲ୍ଲାରେ କୋଭିଡ ପରିଚାଳନାକୁ ନେଇ ଜିଲ୍ଲାପାଳ ଏନଜିଓମାନଙ୍କ ଭୂମିକାକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ହେବାକୁ ଥିବା ରାପିଡ ଆଣ୍ଟିଜେନ ଟେଷ୍ଟ ଓ ହୋମ ଆଇସୋଲେସନ ନିମସ୍ତେ ମାଇକ୍ରୋ ପ୍ଲାନିଙ୍ଗ କାର୍ଯ୍ୟରେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ଗ୍ରାମାଞ୍ଚଳରେ ଥିବା କୋଭିଡ ପରିଚାଳନା କମିଟିମାନେ ମଧ୍ୟ ଏନେଇ ସଚେତନତା ସୃଷ୍ଟି କରିବା ଉଚିତ ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ଏନଜିଓର କର୍ମର୍କର୍ତ୍ତାଙ୍କ ସହ ଆଲୋଚନା କରିଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ବେଲପଡ଼ା, ପାଟଣାଗଡ଼, ଖପ୍ରାଖୋଲ, ଟିଟିଲାଗଡ଼, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ବିଡିଓ ତଥା ଏହି ବ୍ଲକ ଅନ୍ତର୍ଗତ ପଞ୍ଚାୟତର ସରପଞ୍ଚମାନଙ୍କ ସହ ଆଲୋଚନା କରିଥିଲେ। ଅନ୍ୟ ବ୍ଲକ ଅନ୍ତର୍ଗତ ପଞ୍ଚାୟତମାନଙ୍କର ସରପଞ୍ଚମାନଙ୍କ ସହ ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ଆଲୋଚନା କରିବେ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।