ନବରଙ୍ଗପୁର,ଏନ୍ଏନ୍ଏସ୍: ଜଳବାୟୁ ପରିବର୍ତ୍ତନକୁ ପ୍ରତିହିତ କରିବା ପାଇଁ ନବରଙ୍ଗପୁର ଜିଲ୍ଲାରେ କିଶୋର କିଶୋରୀଙ୍କ ଦ୍ୱାରା ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି, ୟୁନିସେଫ ଓ ଆକ୍ସନଏଡର ମିଳିତ ସହଯୋଗରେ ୮୩୨ଟି ରାଜସ୍ୱ ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି । ଜିଲ୍ଲାରେ କାର୍ଯ୍ୟରତ ୨,୩୩୦ ଅଙ୍ଗନବାଡି କେନ୍ଦ୍ରରେ କିଶୋର କିଶୋରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ପ୍ରତି ଶନିବାର ଦିନ ହେଉଥବା କିଶୋରୀ ସଶକ୍ତିକରଣ ‘ଅଦ୍ୱିକା’ କାର୍ଯ୍ୟକ୍ରମରେ ଆଜି ମୋଟ ୪,୭୫୬୧ କିଶୋର କିଶୋରୀ ଭାଗ ନେଇଥିଲେ । ଜଳବାୟୁ ପରିବର୍ତ୍ତନର ପ୍ରତିହତ ପାଇଁ ବୃକ୍ଷର ଭୂମିକା ଉପରେ ଆଲୋଚନା କରିବା ସହିତ ସାମୁହିକ ଭାବେ ମୋଟ ୨୭,୫୦୩ ଫଳ ଗଛ ରୋପଣ କରିଛନ୍ତି । ସେଥିମଧ୍ୟରେ ଚନ୍ଦାହାଣ୍ଡି ବ୍ଲକରେ ୧,୪୭୮ଟି, ଡାବୁଗାଁରେ ୨,୧୪୨ଟି, ଝରୀଗାଁରେ ୩,୩୨୫, କୋଷଗୁମୁଡ଼ାରେ ୩,୧୫୦, ନବରଙ୍ଗପୁରରେ ୨,୩୩୭, ନନ୍ଦହାଣ୍ଡିରେ ୨,୩୬୮, ପାପଡ଼ାହାଣ୍ଡିରେ ୪,୧୩୬, ରାଇଘରରେ ୩,୧୫୮, ତେନ୍ତୁଲିଖୁଣ୍ଟିରେ ୧୩୧୪ ଓ ଉମେରକୋଟ ବ୍ଲକରେ ୪,୦୯୫ଟି ଗଛ ଲଗାଯାଇଛି । ଜିଲ୍ଲାରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀମାନେ ନିଜ ନିଜ ଅଞ୍ଚଳରେ ମିଳୁଥିବା ଫଳ ଗଛ ଯଥା ଆମ୍ବ, ପଣସ, ଜାମୁ, କଦଳୀ, ଲେମ୍ବୁ , ଅମୃତଭଣ୍ଡା, ସଜନା ଓ କମଳା ଇତ୍ୟାଦିକୁ ସଂଗ୍ରହ କରିଛନ୍ତି । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶିବାନୀ ଗୁହାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଆକ୍ସନଏଡ ସଂସ୍ଥାର ଜିଲ୍ଲା ସଂଯୋଜକ ଫକିର ଚରଣ ରାଉତ, ଜିଲ୍ଲା ମମତା ସଂଯୋଜକ ବିଶ୍ୱଜିତ ମହାନ୍ତି, ଜିଲ୍ଲା ପୋଷଣ ସଂଯୋଜକ ହେମରାଜ ଦଣ୍ଡସେନା, ଆଶୁତୋଷ ମିଶ୍ର, ବାଲ୍ୟ ବିବାହ ନିଷେଧ ଅଧିକାରୀ ଏସେ ଗୀତା, ସସ୍ମିତା ମହାନ୍ତି, ଯମୁନା ଭତ୍ରା, ସଂଯୁକ୍ତା ବେହେରା, ଗୀତାରାଣୀ ମିଶ୍ର, କାଞ୍ଚନ ପଣ୍ଡା, ବିରଜା ମୋହିନୀ ପାଙ୍ଗି, ସୁଦର୍ଶନୀ ରଥ ଓ ଜିଲ୍ଲାର ସମସ୍ତ ମହିଳା ସୁପରଭାଇଜର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।