ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ବିରୋଧରେ ସଂଘାତିକ ଅଭିଯୋଗ: ଅଫିସ ଖର୍ଚ୍ଚ କହି ସିଆରସିସିଙ୍କଠୁ ଟଙ୍କା ଆଦାୟ

ରାୟଗଡ଼ା,ଏନ୍ଏନ୍ଏସ୍: ମୁନିଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ବିରୋଧରେ ସଂଘାତିକ ଅଭିଯୋଗ ହୋଇଛି । ସିଆରସିସିଙ୍କ ପାଇଁ ପ୍ରତିବର୍ଷ ମଞ୍ଜୁର ହୋଇଥିବା ଟଙ୍କାକୁ ସେମାନଙ୍କୁ ପ୍ରଦାନ ନକରି ସେହି ଟଙ୍କାରୁ ଅଫିସ ପରିଚାଳନା ଖର୍ଚ୍ଚ କହି ଟଙ୍କା ହାତେଇ ଥିବାରୁ ସିଆରସିସିଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି। ଅନ୍ୟପଟେ ପୁରୁଣା ସିଆରସିସିଙ୍କ ପ୍ରାପ୍ୟ ଟଙ୍କା ନଦେଇ ନୂଆ ସିଆରସିସିଙ୍କ ପ୍ରତି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅହେତୁକ ଅନୁକମ୍ପା ନୀତି ଆପଣାଇଥିବା ଅଭିଯୋଗ ହୋଇଛି। ସମ୍ପ୍ରତି ଘଟଣାକୁ ସିଆରସିମାନେ ବିରୋଧ କରୁଥିବାବେଳେ ଏଥିପ୍ରତି ଉପରୀସ୍ଥ ଅଧିକାରୀ ଦୃଷ୍ଟି ଦେଉନଥିବା ଏବେ ଆଲୋଚନାର ବିଷୟ ହୋଇଛି। ଏନେଇ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଜିଲ୍ଲା ଶିକ୍ଷାଧିକାରୀ ଓ ପ୍ରକଳ୍ପ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ସମ୍ପୃକ୍ତ ଘଟଣାର ଅନୁସନ୍ଧାନ କରାଯାଉନାହିଁ। ସୂଚନା ମୁତାବକ, ମୁନିଗୁଡା ବ୍ଲକରେ ୧୬ଜଣ ସିଆରସିସି ବିଗତ ୨୦୧୪ ମସିହାରେ କାର୍ଯ୍ୟରେ ଯୋଗ ଦେଇଥିଲେ। ପ୍ରତ୍ୟେକ ସିଆରସିସିଙ୍କ ୫ବର୍ଷ କାର୍ଯ୍ୟାକାଳ ଅବଧି ୨୦୧୯ ଅକ୍ଟୋବର ମାସରେ ଶେଷ ହୋଇଥିଲା। ୨୦୧୪ ମସିହାରୁ ଜଣେ ସିଆରସିସିଙ୍କୁ ବର୍ଷକୁ ବିଦ୍ୟାଳୟର ବିଭିନ୍ନ ଖର୍ଚ୍ଚ ଯଥା, ଟେବୁଲ, ଚେଆର, ଚକ, ଫାଇଲ ଜେରକ୍ସ ଓ ଅନ୍ୟ ନଥିପତ୍ର କ୍ରୟ କରିବା ସକାଶେ କଣ୍ଟିଜେନ୍ସି ପାଣ୍ଠି ସ୍ୱରୂପ ୧୦ ହଜାର ଟଙ୍କା ଓ ସ୍କୁଲ ପରିଦର୍ଶନ ସକଶେ ଗସ୍ତ ଖର୍ଚ୍ଚ ବାବଦକୁ ୧୨ହଜାର ମୋଟ ୨୨ ହଜାର ଟଙ୍କା ଆସିଥାଏ। କିନ୍ତୁ ୨୦୧୯ ଓ ୨୦  ଆର୍ଥିକ ବର୍ଷରେ ଉକ୍ତ ପାଣ୍ଠି ୨୨ହଜାରରୁ ବୃଦ୍ଧି ଘଟି ୩୭ ହଜାର ଟଙ୍କା ହୋଇଛି। ତେବେ ଉକ୍ତ ୧୬ଜଣ ସିଆରସିସିଙ୍କ ଗତ ୨୦୧୯ମସିହା ଅକ୍ଟୋବର ମାସରେ ସେମାନଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଅକ୍ଟୋବର ୨୨ ତାରିଖଠାରୁ ସେମାନଙ୍କ ସ୍ଥାନରେ ନୂଆ ସିଆରସିସିଙ୍କୁ କାର୍ଯ୍ୟଭାର ପ୍ରଦାନ କରାଯାଇଥିଲା। ତେବେ ସିଆରସିସିଙ୍କ ପାଇଁ ମଞ୍ଜୁର ହୋଇଥିବା ୩୭ହଜାର ଟଙ୍କାକୁ ଉପଯୁକ୍ତ ଢଙ୍ଗରେ ପ୍ରଦାନ ନକରି ଗୋଷ୍ଠୀ ଶିକ୍ଷା ଅଧିକାରୀ ପାତରଅନ୍ତର ନୀତି ଅବଲମ୍ବନ କରିଥିବା ଅଭିଯୋଗ ହେଉଛି। ପୁରୁଣା ସିଆରସିସିଙ୍କୁ ମାତ୍ର ୧୪,୪୦୦ଟଙ୍କା ଓ ନୂଆ ସିଆରସିସିଙ୍କୁ ୨୨,୪୦୦ଟଙ୍କା ପ୍ରଦାନ ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ଏହି ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ପୈଠ ପୂର୍ବରୁ ପ୍ରତ୍ୟେକଙ୍କ ଠାରୁ ୪ ହଜାର ଟଙ୍କା ଲେଖାଏଁ ଅଫିସ ଖର୍ଚ୍ଚ କହି ମୋଟ ଟଙ୍କାରୁ କାଟଛାଟ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଘଟଣା ସମ୍ପର୍କରେ ମୁନିଗୁଡା ଗୋଷ୍ଠୀ ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଅଭିଯୋଗ ସମୂର୍ଣ୍ଣ ଭିତ୍ତିହୀନ । ଉପଯୁକ୍ତ ଗଣନା କରି ଉଭୟଙ୍କୁ ସଠିକ ରୂପେ ଟଙ୍କା ବଣ୍ଟାଯାଇଛି। ତେଣୁ କେହି କମ ପାଇଥିବାରୁ ମନ କଷ୍ଟ କରି ଏଭଳି ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଘଟଣା ସମ୍ପର୍କରେ କହିଛନ୍ତି ଲିଖିତ ଆକାରରେ ଅଭିଯୋଗ ପତ୍ରରେ ସେମାନଙ୍କ ସମସ୍ୟା ଲେଖି ପ୍ରଦାନ କଲାପରେ ଏହାର ତଦନ୍ତ ହେବ।